Categories: ଖେଳ

ଟି୨୦ ବିଶ୍ୱକପ୍‌ରେ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରନ୍ତି ଏହି ବୋଲର୍‌: ଗାଭାସ୍କର

ନୂଆଦିଲ୍ଲୀ,୨୧।୬: ଭାରତୀୟ ଦ୍ରୁତ ବୋଲର ହର୍ଷଲ ପଟେଲ ନିଜ ବୋଲିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ନିଜର ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ହର୍ଷଲଙ୍କୁ ୨୦୨୧ରେ ଭାରତୀୟ ଟି୨୦ ସ୍କ୍ବାର୍ଡରେ ସୁଯୋଗ ମିଳିଥିଲା। ଏଯାବତ ସେ ୧୩ ଅନ୍ତର୍ଜାତୀୟ ମୁକାବିଲା ଖେଳି ୧୮ ଉଇକେଟ ନେଇଛନ୍ତି। ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ସେ ୪ ମ୍ୟାଚ୍‌ରେ ୭ ଉଇକେଟ ନେଇଥିଲେ, ଯାହାକି ଏହି ସିରିଜରେ ସର୍ବାଧିକ ଉଇକେଟ ଥିଲା। ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ହର୍ଷଲଙ୍କୁ ଟି୨୦ ବିଶ୍ୱକପ୍‌ ୨୦୨୨ ଲାଗି ଭାରତୀୟ ଟିମ୍‌ରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି। ଏବେ ଭାରତର ପୂର୍ବତନ ଅଭିଜ୍ଞ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ମଧ୍ୟ ହର୍ଷଲଙ୍କୁ ଟ୍ରମ୍ପ କାର୍ଡ ବୋଲି କହିଛନ୍ତି।

ଷ୍ଟାର ସ୍ପୋଟ୍ସ ସହ ସାକ୍ଷାତକାରରେ ଗାଭାସ୍କର କହିଛନ୍ତି, ହର୍ଷଲ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରନ୍ତି। କାରଣ ଆମ ପାଖରେ ଭୁବନେଶ୍ୱର କୁମାର, ମହମ୍ମଦ ଶାମୀ ଏବଂ ଜସପ୍ରିତ ବୁମ୍‌ରା ଅଛନ୍ତି। ହେଲେ ଜଣେ ଅଧିନାୟକଙ୍କ ପାଇଁ ହର୍ଷଲଙ୍କ ଭଳି ଖେଳାଳିଙ୍କ ଉପରେ ନିର୍ଭର କରିବା ବହୁତ ଭଲ। ସେ ଦଳରେ ସ୍ଥାନ ପାଇପାରନ୍ତି। ଡେଥ୍‌ ଓଭରରେ ଦମ୍‌ଦାର ବୋଲିଂ କରିବାର କ୍ଷମତା ତାଙ୍କ ପାଖରେ ରହିଛି। ପାଓ୍ବାର ପ୍ଲେରେ ମଧ୍ୟ ସେ ବୋଲିଂ କରନ୍ତି। ଏସବୁ ଦେଖିଲେ ଜଣେ ଅଲରାଉଣ୍ଡର ବୋଲର୍‌ ଭାବେ ତାଙ୍କୁ ନିଶ୍ଚିତ ଭାବେ ଦଳର ଅଂଶ ହେବା ଉଚିତ ବୋଲି ସେ କହିଛନ୍ତି।

Share