ଭାରତ ପାଇଁ ଖୁବ୍‌ଶୀଘ୍ର ଶତକ ମାରିବେ ଏହି କ୍ରିକେଟର: ଗାଭାସ୍କର

ନୂଆଦିଲ୍ଲୀ,୨୧।୮: ଇଂଲଣ୍ଡ ବିପକ୍ଷରେ ଲର୍ଡସ ଟେଷ୍ଟରେ ଟିମ ଇଣ୍ଡିଆର ଓପନର୍‌ ରୋହିତ ଶର୍ମା ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଏଥିଯୋଗୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଇଂଲଣ୍ଡଙ୍କୁ ୧୫୧ ରନ୍‌ରେ ପରାସ୍ତ କରି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଥିଲା। ଲଣ୍ଡନରେ ପ୍ରଥମ ଇନିଂସରେ ରୋହିତ ଶର୍ମା ୮୩ ରନ କରିଥିଲେ। ସେ ଇଂଲଣ୍ଡର ଦ୍ରୁତ ବୋଲରମାନଙ୍କୁ ଚମତ୍କାର ଭାବରେ ସାମ୍ନା କରିଥିଲେ। ଏବେ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ରୋହିତଙ୍କ ଫର୍ମକୁ ପ୍ରଶଂସା କରି କହିଛନ୍ତି ଯେ ସେ ଖୁବ ଶୀଘ୍ର ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରିବେ।

ସୋନି ସ୍ପୋର୍ଟସ ସହ ବାର୍ତ୍ତାଳାପରେ ଗାଭାସ୍କର କହିଛନ୍ତି, ପାଞ୍ଚ ଦିନିଆ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ପିଚ୍‌ କିପରି ବ୍ୟବହାର କରିବ ତାହା କେହି ଜାଣିପାରି ନ ଥାନ୍ତି। ଏଥିପାଇଁ ଆପଣଙ୍କୁ ପିଚ୍‌ରେ କିଛି ସମୟ ଅତିବାହିତ କରିବାକୁ ପଡିବ। ରୋହିତ ପ୍ରଥମ ଇନିଂସରେ ତାହା କିପରି କରିବେ ତାହା ଦେଖାଇଛନ୍ତି। ସେ ଚମତ୍କାର ବ୍ୟାଟିଂ କରିଛନ୍ତି। କେଉଁ ଶଟ୍‌ ଖେଳିବା ଉଚିତ ଏବଂ କେଉଁଟି ନୁହେଁ, ଏପରିକି ସେ କେତେ ବଲ ଛାଡିଛନ୍ତି ସେଥିରୁ ତାହା ଜଣାପଡ଼ୁଛି।

ଗାଭାସ୍କର ଆହୁରି କହିଛନ୍ତି, ଆମେ ଜଣେ ଖେଳାଳିଙ୍କଠାରୁ ସମାନ ଆଶା କରୁୁ। ଯଦି ତୁମେ ୮୦ ରନ ସ୍କୋର କରିବାକୁ ଗ୍ୟାରେଣ୍ଟି ଦେଉଥିବା ଖେଳାଳୀ ପାଇବ ତେବେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଦଳ ୪୦୦-୪୫୦ ରନ ସ୍କୋର କରିବ। ଜଣେ ଅଧିନାୟକ ଆଉ କ’ଣ ଆବଶ୍ୟକ କରନ୍ତି? ହଁ, ସେ ଏକ ଶତକ ସ୍କୋର କରି ନ ଥିବାରୁ ନିରାଶ ହେବେ, କିନ୍ତୁ ଲର୍ଡସରେ ଶତକ ସ୍କୋର କରିବା ସବୁକିଛି ନୁହେଁ। ତେବେ ଯେଉଁଭଳି ଭାବେ ରୋହିତ ଶର୍ମା ବ୍ୟାଟିଂ କରୁଛନ୍ତି, ଯେଉଁ ସ୍ଥାନକୁ ସେ ନିଜକୁ ଆଣିଛନ୍ତି, ସେ ଖୁବ ଶୀଘ୍ର ଶତକ କରିବେ ବୋଲି ଜଣାପଡ଼ୁଥିବା ଗାଭାସ୍କର କହିଛନ୍ତି।

Share