ବୈଭବଙ୍କୁ ନେଇ ଗମ୍ଭୀରଙ୍କ ସ୍ପେଶାଲ୍ ପ୍ଲାନ୍! ସଞ୍ଜୁଙ୍କ ସହ ଓପନିଂ…..

ନୂଆଦିଲ୍ଲୀ,୨୭ା୧୦: ତୃତୀୟ ଟି-୨୦ ମ୍ୟାଚ୍‌ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି । ଇଶାନ କିଶନ ଏବେ ମଧ୍ୟ ଫିଟ୍‌ ନଥିବା ଖବର ମଧ୍ୟରେ ତୃତୀୟ ଟି-୨୦ରେ ବୈଭବଙ୍କ ଖେଳିବାର ସମ୍ଭାବନା ବଢ଼ିଛି । ତେବେ ଏଥର ତାଙ୍କୁ କେଉଁ ବ୍ୟାଟିଂ କ୍ରମରେ ସୁଯୋଗ ମିଳିବ, ତାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

ଦ୍ୱିତୀୟ ଟି-୨୦ରେ ଇଶାନ ଆହତ ହେବା ପରେ ବୈଭବଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସାମିଲ କରାଯାଇଥିଲା। କିନ୍ତୁ ତାଙ୍କୁ ଓପନିଂ ପରିବର୍ତ୍ତେ ନମ୍ବର-୩ରେ ବ୍ୟାଟିଂ କରିବାକୁ ପଠାଯାଇଥିଲା। ଏହି ନୂଆ ବ୍ୟାଟିଂ କ୍ରମରେ ସେ ମାତ୍ର ୪ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ତାଙ୍କ ବ୍ୟାଟିଂ କ୍ରମରେ ପରିବର୍ତ୍ତନକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ବୈଭବଙ୍କ ପରିଚୟ ହେଉଛି ପାୱାରପ୍ଲେରେ ଆକ୍ରମଣାତ୍ମକ ବ୍ୟାଟିଂ। ନୂଆ ବଲ୍‌ରେ ବୋଲରଙ୍କ ଉପରେ ଚାପ ପକାଇବାରେ ସେ ଦକ୍ଷ। ତେଣୁ ତୃତୀୟ ଟି-୨୦ରେ ତାଙ୍କୁ ପୁଣି ଓପନିଂରେ ଦେଖିବାକୁ ପ୍ରଶଂସକ ଆଶା ରଖିଛନ୍ତି। ଅନ୍ୟପକ୍ଷରେ, ଦଳ ପରିଚାଳନା ତାଙ୍କୁ ପୁଣି ନମ୍ବର-୩ରେ ଖେଳାଇବ କି ନାହିଁ, ତାହା ମ୍ୟାଚ୍‌ ପୂର୍ବରୁ ସ୍ପଷ୍ଟ ହେବ।

ତୃତୀୟ ଟି-୨୦ ପୂର୍ବରୁ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର, ବୈଭବ ସୂର୍ଯ୍ୟବଂଶୀ ଓ ସଞ୍ଜୁ ସାମସନଙ୍କ ସହ ଆଲୋଚନା କରୁଥିବା ଏକ ଫଟୋ ବିସିସିଆଇ ପକ୍ଷରୁ ସେୟାର କରାଯାଇଛି । ଅଭ୍ୟାସ ସମୟର ଏହି ଫଟୋରେ ଉଭୟ ବ୍ୟାଟର ଗମ୍ଭୀରଙ୍କ କଥା ଶୁଣୁଥିବା ଦେଖାଯାଇଛି। ଗମ୍ଭୀରଙ୍କ ପରାମର୍ଶ ପରେ ଉଭୟଙ୍କ ପ୍ରଦର୍ଶନ କିପରି ରହିବ, ତାହା ଦେଖିବାକୁ କ୍ରିକେଟ୍‌ପ୍ରେମୀ ଅପେକ୍ଷା କରିଛନ୍ତି।

ଭାରତୀୟ ଟି-୨୦ ଦଳରେ ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ଶ୍ରେୟସ ଆୟର, ଶିବମ ଦୁବେ, ଅକ୍ଷର ପଟେଲ, ନମନ ଧୀର, ନୀତୀଶ କୁମାର ରେଡ୍ଡୀ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ମୟଙ୍କ ଯାଦବ, ପ୍ରିନ୍ସ ଯାଦବ, ବୈଭବ ସୂର୍ଯ୍ୟବଂଶୀ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ଓ କୁମାର କୁଶାଗ୍ର ରହିଛନ୍ତି।

 

Dharitri – Odisha’s No.1 Odia Daily

Share