ନ୍ୟୁଜିଲାଣ୍ଡରେ ଗୌତମ ଗମ୍ଭୀରଙ୍କ ‘ବୁଲେଟପ୍ରୁଫ’ ପ୍ଲାନ୍‌ ସଫଳ: ସମାଲୋଚକଙ୍କୁ କଡ଼ା ଜବାବ

ନୂଆଦିଲ୍ଲୀ,୭।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳର ଯୁବ ପେସ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଏବେ ଚର୍ଚ୍ଚାରେ। ଟିମ ମ୍ୟାନେଜମେଣ୍ଟର ନୂଆ ରଣନୀତି ଯୋଗୁ ଅଭିଜ୍ଞ ବୋଲର ମହମ୍ମଦ ସିରାଜଙ୍କୁ ପ୍ରଥମ ଦୁଇଟି ଦିନିକିଆରେ ସୁଯୋଗ ମିଳିନାହିଁ। ତାଙ୍କ ସ୍ଥାନରେ ଯୁବ ବୋଲର ଅଂଶୁଲ କାମ୍ବୋଜ, ଆକିବ ନବୀ, ଗୁରନୂର ବରାଡ଼ ଓ ଅର୍ଶଦୀପ ସିଂହଙ୍କ ଉପରେ ଭରସା କରିଛି ଟିମ ମ୍ୟାନେଜମେଣ୍ଟ। ଏହି ଚାରି ବୋଲରଙ୍କ ଘାତକ ପ୍ରଦର୍ଶନ ଏବେ ସିରାଜଙ୍କ ଦଳରେ ସ୍ଥାନକୁ ନେଇ ପ୍ରଶ୍ନ ଉଠାଇଛି।

ପ୍ରଥମ ଦୁଇଟି ଦିନିକିଆ ପାଇଁ ଗୌତମ ଗମ୍ଭୀରଙ୍କ ନେତୃତ୍ୱାଧୀନ ଟିମ ମ୍ୟାନେଜମେଣ୍ଟ ଯୁବ ପେସ ଆଟାକକୁ ସୁଯୋଗ ଦେଇଥିଲା। ମହମ୍ମଦ ସିରାଜ ଓ କୁଲଦୀପ ଯାଦବଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ବାହାରେ ରଖାଯାଇଥିଲା। ଦ୍ୱିତୀୟ ଦିନିକିଆର ପ୍ଲେଇଂ-୧୧ରେ ସିରାଜଙ୍କ ନାଁ ନଥିବାରୁ କୋଚ ଗମ୍ଭୀରଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ତେବେ ଯୁବ ବୋଲରଙ୍କ ପ୍ରଦର୍ଶନ ଏହି ନିଷ୍ପତ୍ତିକୁ ଏବେ ଠିକ ପ୍ରମାଣିତ କରୁଥିବା ଦେଖାଯାଉଛି।

ପ୍ରଥମ ଦିନିକିଆରେ ଅର୍ଶଦୀପ ସିଂହ, ଆକିବ ନବୀ, ଅଂଶୁଲ କାମ୍ବୋଜ ଓ ଗୁରନୂର ବରାଡ଼ଙ୍କ ଚାରି ଜଣିଆ ବୋଲିଂ ବାହିନୀ ନ୍ୟୁଜିଲାଣ୍ଡର ବ୍ୟାଟିଂ ଲାଇନଅପ୍‌କୁ ଧରାଶାୟୀ କରିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଏହି ବୋଲରମାନେ ନିଜ ଦମ ଦେଖାଇଥିଲେ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ନ୍ୟୁଜିଲାଣ୍ଡ ମାତ୍ର ୫୩ ରନ୍‌ରେ ୫ଟି ଉଇକେଟ ହରାଇଥିଲା।

ବିଶେଷ କରି ନୂଆ ବଲ୍‌ରେ ଆକିବ ନବୀଙ୍କ ବୋଲିଂ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ ଅଡ଼ୁଆରେ ପକାଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ସେ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଉଇକେଟ ହାସଲ କରିଥିଲେ।
ପ୍ରଥମ ମ୍ୟାଚ୍‌ରେ ଅଂଶୁଲ କାମ୍ବୋଜ ୧୦ ଓଭର ବୋଲିଂ କରି ମାତ୍ର ୨୨ ରନ ଖର୍ଚ୍ଚ କରିଥିଲେ। ସେହିପରି ଅର୍ଶଦୀପ ସିଂହ ୪ଟି ଉଇକେଟ ନେଇଥିବା ବେଳେ ଗୁରନୁର ବରାଡ଼ ୩ ଜଣ ବ୍ୟାଟରଙ୍କୁ ଆଉଟ କରିଥିଲେ। ଆକିବ ପ୍ରଥମ ମ୍ୟାଚ୍‌ରେ ଉଇକେଟ ପାଇ ନଥିଲେ ମଧ୍ୟ ଦ୍ୱିତୀୟ ମ୍ୟାଚ୍‌ରେ ସଫଳତା ପାଇଛନ୍ତି।
ଏହି ଚାରି ଯୁବ ବୋଲର ଯଦି ଆଗାମୀ ମ୍ୟାଚ୍‌ଗୁଡ଼ିକରେ ମଧ୍ୟ ନିଜ ପ୍ରଦର୍ଶନ ଜାରି ରଖନ୍ତି, ତେବେ ମହମ୍ମଦ ସିରାଜଙ୍କ ପାଇଁ ଦଳକୁ ଫେରିବା କଷ୍ଟକର ହୋଇପାରେ। କେବଳ ସିରାଜ ନୁହନ୍ତି, ପ୍ରସିଦ୍ଧ କ୍ରିଷ୍ଣା ଓ ହର୍ଷିତ ରାଣା ମଧ୍ୟ ଆହତ ସମସ୍ୟା ଯୋଗୁ ଏବେ ଦଳରୁ ବାହାରେ ଅଛନ୍ତି।

ଆହତ ହେବା ପୂର୍ବରୁ ଉଭୟଙ୍କୁ ନିୟମିତ ସୁଯୋଗ ମିଳୁଥିଲା। ଏବେ ସେମାନେ ଫିଟ ହୋଇ ଫେରିବା ପରେ ଚୂଡ଼ାନ୍ତ ଏକାଦଶରେ କାହାକୁ ସ୍ଥାନ ମିଳିବ, ତାହା ଟିମ ମ୍ୟାନେଜମେଣ୍ଟ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

Dharitri – Odisha’s No.1 Odia Daily

 

Share