ନୂଆଦିଲ୍ଲୀ,୩୦।୧୦: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଭବିଷ୍ୟତକୁ ନେଇ ଗତ କିଛି ମାସ ହେଲା ଅନେକ ଚର୍ଚ୍ଚା ଓ ଅନୁମାନ ଲାଗି ରହିଛି। ଏପରିକି ୨୦୨୭ ବିଶ୍ୱକପ ପୂର୍ବରୁ ମଧ୍ୟ ତାଙ୍କୁ କୋଚ ପଦରୁ ହଟାଯାଇପାରେ ବୋଲି ଅନେକ ଥର ଆଲୋଚନା ହୋଇଥିଲା। ଯଦିଓ ତାଙ୍କ କାର୍ଯ୍ୟକାଳ ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ରହିଛି। ତେବେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ପଦରୁ ହଟିବା ପରେ ଗମ୍ଭୀରଙ୍କୁ ନେଇ ଏଭଳି ଚର୍ଚ୍ଚା ଏବେ ଶାନ୍ତ ପଡ଼ିଛି। କିନ୍ତୁ ଏକ ନୂଆ ରିପୋର୍ଟରେ ଦାବି କରାଯାଇଛି ଯେ, IPLର କିଛି ଦଳ ଏବେଠାରୁ ଭାରତୀୟ କୋଚଙ୍କୁ ନିଜ ଟିମରେ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।
ଏକ ହିନ୍ଦୀ ଖବରକାଗଜର ରିପୋର୍ଟରେ ଏହି ଖୁଲାସା କରାଯାଇଛି। ରିପୋର୍ଟ ଅନୁସାରେ, IPLର କିଛି ଫ୍ରାଞ୍ଚାଇଜ ଏବେଠାରୁ ଗୌତମ ଗମ୍ଭୀରଙ୍କୁ ନିଜ ଦଳର ମେଣ୍ଟର କରିବା ପାଇଁ ଯୋଗାଯୋଗ କରୁଛନ୍ତି। ଅତିକମରେ ୪ଟି ଦଳ ଏହି ଉଦ୍ୟମରେ ସାମିଲ ଅଛନ୍ତି। ଟିମ ଇଣ୍ଡିଆରୁ ଅଲଗା ହେବା ମାତ୍ରେ ଗମ୍ଭୀର ସେମାନଙ୍କ ସହ ଯୋଗଦିଅନ୍ତୁ ବୋଲି ଏହି ଦଳଗୁଡ଼ିକ ଚାହୁଁଛନ୍ତି। ଟିମ ଇଣ୍ଡିଆ ସହ ଗମ୍ଭୀରଙ୍କ ସଫଳତା ଏବଂ IPLରେ କୋଲକାତା ନାଇଟ ରାଇଡର୍ସକୁ ଚାମ୍ପିୟନ କରାଇବା ଭଳି ଉପଲବ୍ଧି ତାଙ୍କ ପ୍ରତି ଫ୍ରାଞ୍ଚାଇଜଗୁଡ଼ିକର ଆଗ୍ରହ ବଢ଼ାଇଛି। ଏବେ ପ୍ରଶ୍ନ ଉଠୁଛି, କେଉଁ କେଉଁ ଦଳ ଗମ୍ଭୀରଙ୍କୁ ନିଜର ମେଣ୍ଟର କିମ୍ବା କୋଚ କରିବାକୁ ଚାହୁଁଛନ୍ତି? ଏହି ତାଲିକାରେ ସବୁଠାରୁ ପ୍ରଥମ ନାଁ ରହିଛି ସେହି ଦଳର, ଯାହା ସହ ଗମ୍ଭୀରଙ୍କର ପୁରୁଣା ସମ୍ପର୍କ ରହିଛି। ତାହା ହେଉଛି କୋଲକାତା ନାଇଟ ରାଇଡର୍ସ (KKR)। ରିପୋର୍ଟ ଅନୁସାରେ, ଗମ୍ଭୀରଙ୍କୁ ପୁଣିଥରେ ନିଜ ଦଳର ମେଣ୍ଟର କରିବାକୁ KKR ଆଗ୍ରହୀ ଅଛି। ୨୦୨୮ ସିଜିନରେ ତାଙ୍କ ସହ ପୁଣି ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ଦଳ ଚାହୁଁଛି।
IPL ୨୦୨୪ରେ ଗମ୍ଭୀର KKRର ମେଣ୍ଟର ଥିଲେ। ସେହି ସିଜିନରେ ଦଳ ୧୦ ବର୍ଷ ପରେ ଟାଇଟଲ ଜିତିଥିଲା। ଏହାପରେ ହିଁ ଗମ୍ଭୀରଙ୍କୁ ଭାରତୀୟ ଦଳର ମୁଖ୍ୟ କୋଚ ନିଯୁକ୍ତ କରାଯାଇଥିଲା। KKR ବ୍ୟତୀତ ଏହି ରିପୋର୍ଟରେ ରାଜସ୍ଥାନ ରୟାଲ୍ସର ନାଁ ମଧ୍ୟ ରହିଛି। କିଛି ସମୟ ପୂର୍ବରୁ ଏହି ଫ୍ରାଞ୍ଚାଇଜ ଗମ୍ଭୀରଙ୍କ ସହ ଏନେଇ ଆଲୋଚନା କରିଥିବା କୁହାଯାଉଛି। ଏହାବ୍ୟତୀତ ଆଉ ଦୁଇଟି ଦଳର ନାଁ ସାମ୍ନାକୁ ଆସିନାହିଁ। ତେବେ ସେଥିମଧ୍ୟରୁ ଗୋଟିଏ ଦଳ IPLର ସବୁଠାରୁ ସଫଳ ଟିମ ମଧ୍ୟରୁ ଅନ୍ୟତମ। ତାହା ଚେନ୍ନାଇ ସୁପର କିଙ୍ଗ୍ସ ନା ମୁମ୍ବାଇ ଇଣ୍ଡିଆନ୍ସ, ନା ଆଉ କୌଣସି ଦଳ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଚତୁର୍ଥ ଦଳ ଏପର୍ଯ୍ୟନ୍ତ IPLରେ କୌଣସି ଟାଇଟଲ ଜିତିନାହିଁ। ତେବେ ଗମ୍ଭୀର IPLକୁ ଫେରିବେ କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ୨୦୨୪ରେ BCCI ତାଙ୍କୁ ଟିମ ଇଣ୍ଡିଆର ନୂଆ ମୁଖ୍ୟ କୋଚ ନିଯୁକ୍ତ କରିବା ସମୟରେ ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ଚୁକ୍ତି କରିଥିଲା। ତେଣୁ ବର୍ତ୍ତମାନ ପାଇଁ ଗମ୍ଭୀର ବିଶ୍ୱକପ ପର୍ଯ୍ୟନ୍ତ କୋଚ ଦାୟିତ୍ୱରେ ରହିବେ। ଏହାପରେ BCCI ତାଙ୍କ କାର୍ଯ୍ୟକାଳକୁ ୨୦୨୮ ଅଲିମ୍ପିକ୍ସ ପର୍ଯ୍ୟନ୍ତ ବଢ଼ାଉଛି ନା ଗମ୍ଭୀର ନିଜେ ଏଥିପାଇଁ ମନା କରୁଛନ୍ତି, ତାହା ଉପରେ ହିଁ ତାଙ୍କ IPL ପ୍ରତ୍ୟାବର୍ତ୍ତନ ନିର୍ଭର କରିବ।