Categories: ଖେଳ

ବ୍ୟାଟିଂ କରିପାରୁନାହାନ୍ତି, ଅଧିନାୟକ ଦାୟିତ୍ୱ ମିଳୁଛି

ନୂଆଦିଲ୍ଲୀ,୨୩।୧୧: ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ନ୍ୟୁଜିଲାଣ୍ଡକୁ ହରାଇ କ୍ଲିନ୍‌ ସୁଇପ୍‌ କରିଛି ଟିମ୍‌ ଇଣ୍ଡିଆ। ଏବେ ଉଭୟ ଦଳ ମଧ୍ୟରେ ଗୁରୁବାରଠାରୁ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଆରାମ କରିବେ। ଏଥିଯୋଗୁ ଅଜିଙ୍କ୍ୟ ରାହାନେ କାନପୁର ଟେଷ୍ଟରେ ଦଳର ନେତୃତ୍ୱ ନେବେ। ଏସବୁ ମଧ୍ୟରେ ପୂର୍ବ ଭାରତୀୟ ଓପନର ଗୌତମ ଗମ୍ଭୀର ରାହାନେଙ୍କ ଫର୍ମକୁ ନେଇ ତାଙ୍କୁ କଟାକ୍ଷ କରିଛନ୍ତି।

ଗମ୍ଭୀର କହିଛନ୍ତି, ଯଦି ମୋତେ ପଚରାଯାଏ ତେବେ ମୁଁ ମୟଙ୍କ ଅଗ୍ରଓ୍ବାଲ ଏବଂ କେଏଲ୍‌ ରାହୁଲଙ୍କୁ ଓପନିଂ କରାଇବି। ପରେ ଚାରି ନଂ ସ୍ଥାନରେ ଶୁଭମନ ଗିଲଙ୍କୁ ରଖିବି। ନେତୃତ୍ୱ ନେବାକୁ ଯାଉଥିବାରୁ ରାହାନେଙ୍କୁ ଦଳରେ ସୁଯୋଗ ମିଳିଛି। ଏଥିଯୋଗୁ ସେ ବହୁତ ଭାଗ୍ୟବାନ। କହିବାକୁ ଗଲେ ତାଙ୍କୁ ପୁଣି ସୁଯୋଗ ମିଳୁଛି। ଆଶା କରୁଛି ସେ ଏହାର ଲାଭ ଉଠାଇବେ। ଫର୍ମକୁ ଦେଖିଲେ ତାଙ୍କୁ ଘରୋଇ ସିରିଜରେ ଖେଳିବାର ଆବଶ୍ୟକତା ରହିଛି।

ତେବେ ରାହାନେ ଗତ କିଛି ମ୍ୟାଚ୍‌ରେ ଖରାପ ଫର୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଲଗାତାର ଭାବେ ସେ ବିଫଳ ହେଉଛନ୍ତି। ଗତ ବର୍ଷ ମେଲବର୍ନରେ ସେ ଶେଷଥର ପାଇଁ ଶତକ ମାରିଥିଲେ। ଏହାପରଠାରୁ ଏବେଯାଏ ସେ କେବଳ ଏକ ଅର୍ଦ୍ଧଶତକ କରିଛନ୍ତି। ଏଣୁ ରୋହିତ ଶର୍ମା-ବିରାଟଙ୍କ ଅନୁପସ୍ଥିତିରେ ରାହାନେଙ୍କ ପାଖରେ ଅଧିନାୟକତ୍ୱ ଏବଂ ରନ୍‌ କରିବାର ସୁଯୋଗ ରହିବ ବୋଲି କୁହାଯାଉଛି।

Share