ଦଳର ବିଜୟ ପରେ ବି ରାଗିଗଲେ ଗମ୍ଭୀର, ହରାଇଲେ ନିୟନ୍ତ୍ରଣ

ପୁଣେ,୨।୫: ଆଇପିଏଲ ୨୦୨୨ର ୪୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ଲକ୍ଷ୍ନୌ ଦଳ ଶେଷରେ ୬ ରନ୍‌ରେ ଏହି ମ୍ୟାଚ ଜିତିଥିଲା। ଏହି ମ୍ୟାଚ ଜିତିବା ପରେ ଲକ୍ଷ୍ନୌ କ୍ୟାମ୍ପରେ ସମସ୍ତେ ସେଲିବ୍ରେଶନ୍‌ ଆରମ୍ଭ କରିଲେ। କିନ୍ତୁ ଦଳର ପରାମର୍ଶଦାତା ଗୌତମ ଗମ୍ଭୀର ବିଜୟ ପରେ ହଠାତ୍‌ ଏତେ ରାଗିଯାଇଥିଲେ ଯେ ତାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଲକ୍ଷ୍ନୌର ବିଜୟ ପରେ ଗୌତମ ଗମ୍ଭୀର ନିଜର ନିୟନ୍ତ୍ରଣ ହରାଇଲେ। ସେ ନିଜ ଆସନ ଛାଡି ଏପରି ଉତ୍ସବ ପାଳନ କରିଥିଲେ ଯେ ସମସ୍ତଙ୍କ ଦୃଷ୍ଟି ତାଙ୍କ ଆଡକୁ ଯାଇଥିଲା। ଏପରିକି ସେ ଏତେ ଉତ୍ସାହିତ ଥିଲେ ଯେ ତାଙ୍କ ପାଟିରୁ ଖରାପ ଭାଷା ବାହାରିଥିଲା। ଲକ୍ଷ୍ନୌ ଏବଂ ଦିଲ୍ଲୀ ମଧ୍ୟରେ ମ୍ୟାଚ ଶେଷ ଓଭରରେ ପହଞ୍ଚିଥିବାରୁ ଉଭୟ ଦଳ ଏହାକୁ ଜିତି ପାରିଥାନ୍ତେ। ରୋମାଞ୍ଚକର ମ୍ୟାଚ ଦେଖି ଗମ୍ଭୀର ନିଜକୁ ନିୟନ୍ତ୍ରଣ କରିପାରି ନ ଥିଲେ।
ଏହି ମ୍ୟାଚର ଶେଷ ଓଭରରେ ଦିଲ୍ଲୀକୁ ୨୧ ରନ ସ୍କୋର କରିବାକୁ ଥିଲା। ଲକ୍ଷ୍ନୌ ପାଇଁ ମାର୍କସ ଷ୍ଟୋଇନିସ ଶେଷ ଓଭର ବୋଲିଂ କରିଥିଲେ। ଶେଷ ଦୁଇଟି ବଲରୁ ଦିଲ୍ଲୀର ୧୩ ରନ ଆବଶ୍ୟକ ଥିଲା। କିନ୍ତୁ ଷ୍ଟୋଇନିସ ଏହାକୁ ରକ୍ଷା କରିବାରେ ସଫଳ ହୋଇଥିଲେ। ଏହି ବିଜୟ ସହିତ ଲକ୍ଷ୍ନୌ ୧୪ ପଏଣ୍ଟ ରହିଛି ଏବଂ ଏହି ଦଳ ଲିଗ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି।

Share