ଗୁଆହାଟୀ,୯ା୨(ପି.ଟି.): ଆସାମ କଂଗ୍ରେସ ସଭାପତି ତଥା ଏମ୍ପି ଗୌରବ ଗୋଗୋଇ ଏବଂ ତାଙ୍କ ସ୍ତ୍ରୀ ଏଲିଜାବେଥ କୋଲବର୍ନଙ୍କର ପାକିସ୍ତାନ ସହ ନିବିଡ଼ ସମ୍ପର୍କ ରହିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରବିବାର ଅଭିଯୋଗ କରିଛନ୍ତି। ଉକ୍ତ ଦମ୍ପତି ଓ ପାକିସ୍ତାନୀ ନାଗରିକ ଅଲି ତୌକିର ଶେଖ୍ଙ୍କ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ସେମାନଙ୍କ ଜରିଆରେ ଗୋଇନ୍ଦା ବ୍ୟୁରୋର ସୂଚନା ଗୋପନରେ ପଡ଼ୋଶୀ ଦେଶକୁ ଯାଉଥିବା ହିମନ୍ତ ଅଭିଯୋଗ କରିଛନ୍ତି। ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରି ହିମନ୍ତ କହିଛନ୍ତି, କୋଲବର୍ନ ଭାରତରେ କାମ କରୁଥିବାବେଳେ ଶେଖ୍ ତାଙ୍କୁ ବେତନ ପ୍ରଦାନ କରିବା ବିଦେଶୀ ଅବଦାନ ନିୟନ୍ତ୍ରଣ ଆଇନ (ଏଫ୍ସିଆର୍ଏ) ନିୟମାବଳୀର ଉଲ୍ଲଂଘନ। ୨୦୧୩ରେ ଗୋଗୋଇ ଅତ୍ୟନ୍ତ ଗୋପନରେ ପାକିସ୍ତାନ ଗସ୍ତ କରିଥିଲେ। ସେଠାରେ ସେ କୌଣସି ତାଲିମ ନେଇଥିବା ବିଶ୍ୱାସ କରାଯାଉଛି। ତେଣୁ କଂଗ୍ରେସ ନେତା ନିଜର ଉକ୍ତ ଗସ୍ତକୁ ସ୍ବଚ୍ଛ ପ୍ରମାଣିତ କରନ୍ତୁ, ନଚେତ ରାଷ୍ଟ୍ରଦୋହ ଅଭିଯୋଗର ସମ୍ମୁଖୀନ ହେବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ପାକିସ୍ତାନ ସହ ସମ୍ପୃକ୍ତି ନେଇ ହିମନ୍ତଙ୍କ ଅଭିଯୋଗକୁ ଆସାମ କଂଗ୍ରେସ ସଭାପତି ଥିବା ଗୋଗୋଇ ଖଣ୍ଡନ କରିବା ସହ ଏହାକୁ ମୂର୍ଖତା ଓ ଜାଲ୍ ବୋଲି କହିଛନ୍ତି। ସେ ଉକ୍ତ ଅଭିଯୋଗକୁ ସି ଗ୍ରେଡ୍ ସିନେମାଠାରୁ ଅଧିକ ଖରାପ ସୁପର ଫ୍ଲପ୍ ଭାବେ ଅଭିହିତ କରିଛନ୍ତି।
ହିମନ୍ତ କହିଥିଲେ, ଗୋଗୋଇ, କୋଲବର୍ନ ଏବଂ ଶେଖ୍ଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି। କୋଲବର୍ନ ଓ ଶେଖ୍ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ବିଶ୍ୱାସ କରାଯାଉଛି। ସେମାନେ ଭାରତ ସରକାରଙ୍କୁ ଅଣଦେଖା କରି ଏକ ସ୍ଥାନୀୟ ମ୍ୟୁନିସିପାଲ ଏଜେନ୍ସି ସହ କାମ କରୁଛନ୍ତି ଏବଂ ଆସାମ ପୋଲିସ ଦ୍ୱାରା ଏହାର ତଦନ୍ତ ହୋଇପାରୁ ନାହିଁ। ତେଣୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ସ୍ତରର ତଦନ୍ତ ପାଇଁ ସୁପାରିସ କରାଯାଇଥିବା ହିମନ୍ତ କହିଛନ୍ତି। ଭାରତ ବଦଳି ହେବା ପୂର୍ବରୁ ଶେଖ୍ଙ୍କ ପରିଚାଳିତ ଏଲ୍ଇଏଡି ପାକିସ୍ତାନ ନାମକ ସଂଗଠନରେ କୁଲବର୍ନ କାର୍ଯ୍ୟ କରୁଥିଲେ। ଭାରତରେ ସେ ଉକ୍ତ ଗ୍ରୁପ୍ ସହ କାର୍ଯ୍ୟ କରୁଥିବାବେଳେ ଏଲ୍ଇଏଡି ପାକିସ୍ତାନ ଏଲ୍ଇଏଡି ଇଣ୍ଡିଆକୁ ଟଙ୍କା ପଠାଇବା ପରେ ବେତନ ପାଇଥାନ୍ତି। ଏହା ଏଫ୍ସିଆର୍ଏ ନିୟମାବଳୀର ଉଲ୍ଲଂଘନ ବୋଲି ହିମନ୍ତ ଅଭିଯୋଗ କରିଛନ୍ତି।

