ଗୌରହରି, ଦମୟନ୍ତୀ ପାଇବେ ସାହିତ୍ୟ ଅନୁବାଦ ପୁରସ୍କାର

ଭୁବନେଶ୍ୱର, ୨୫।୬ (ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୧ ବର୍ଷ ପାଇଁ ମୋଟ୍‌ ୨୨ଟି ଭାଷାରେ ‘ସାହିତ୍ୟ ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି। ଏଥର ଓଡ଼ିଶାରୁ ଦୁଇଜଣ ବ୍ୟକ୍ତି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ବେନିୟାମିନଙ୍କ ରଚିତ ମାଲୟାଲମ୍‌ ଉପନ୍ୟାସ ‘ଗୋଟ୍‌ ଡେଜ୍‌’ର ଓଡ଼ିଆ ଅନୁବାଦ ‘ଛେଳି ଚରେଇବାର ଦିନ’ ପାଇଁ କଥାକାର ଗୌରହରି ଦାସ ଓ ଜୟଦେବଙ୍କ ରଚିତ କାଳଜୟୀ କାବ୍ୟ ଗୀତଗୋବିନ୍ଦକୁ ସଂସ୍କୃତ ଭାଷାରୁ ସାନ୍ତାଳୀ ଭାଷାକୁ ଅନୁବାଦ କରିଥିବା ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ‘ସାହିତ୍ୟ ଅନୁବାଦ ପୁରସ୍କାର’ ପାଇବେ। ପୁରସ୍କାର ସ୍ବରୂପ ପ୍ରତ୍ୟେକଙ୍କୁ ୫୦ହଜାର ଟଙ୍କା ଏବଂ ତାମ୍ର ଫଳକ ପ୍ରଦାନ କରାଯିବ। ଶୁକ୍ରବାର ନୂଆଦିଲ୍ଲୀର ରବୀନ୍ଦ୍ରଭବନଠାରେ ଏକାଡେମୀ ସଭାପତି ଚନ୍ଦ୍ରଶେଖର କମ୍ବାରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ଏନେଇ ଘୋଷଣା କରାଯାଇଛି। ଓଡ଼ିଆ ଓ ସାନ୍ତାଳୀ ବ୍ୟତୀତ ଅହମିଆ, ବଙ୍ଗଳା, ବୋଡୋ, ଡୋଗ୍‌ରୀ, ଇଂଲିଶ, ଗୁଜରାଟୀ, ହିନ୍ଦୀ, କନ୍ନଡ, କାଶ୍ମୀରୀ, କୋଙ୍କଣୀ, ମାଲୟାଲମ୍‌, ମଣିପୁରୀ, ମରାଠୀ, ନେପାଳୀ, ପଞ୍ଜାବୀ, ସଂସ୍କୃତ, ସିନ୍ଧୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଭାଷାରେ ଅନୁବାଦିତ ପୁସ୍ତକ ପାଇଁ ସାହିତି୍ୟକମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଏକାଡେମୀର ଓଡ଼ିଆ ଭାଷା ପରାମର୍ଶଦାତା କମିଟି ଆବାହକ ଡ.ବିଜୟାନନ୍ଦ ସିଂହ ସୂଚନା ଦେଇଛନ୍ତି। ସେହିପରି ପରବର୍ତ୍ତୀ ସମୟରେ ମୈଥିଳୀ ଏବଂ ରାଜସ୍ଥାନୀ ଭାଷାରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।
୧୯୬୨ ଫେବୃୟାରୀ ୧୮ରେ ମୟୂରଭଞ୍ଜ ଜିଲାରେ ଜନ୍ମ ଗ୍ରହଣ କରିଥିଲେ ଦମୟନ୍ତୀ। ୧୯୮୫ରେ ସମ୍ବଲପୁରରେ ଜୁନିୟର ରୋଜଗାର ଅଧିକାରୀ
ଭାବେ ସେ କର୍ମଜୀବନ ଆରମ୍ଭ
କରିଥିଲେ। ଏହାପରେ ୧୯୮୭ରେ ମହାରାଜା ପ୍ରତାପ ଚନ୍ଦ୍ର କଲେଜରେ ଚାକିରି କଲେ। ସେହିଠାରୁ କବିତା ଓ ନିବନ୍ଧ ଲେଖିବା ଆରମ୍ଭ କରିଥିଲେ। ଆଦିବାସୀ ସାହିତ୍ୟ ଓ ସଂସ୍କୃତି ଗବେଷିକା ଭାବେ ତାଙ୍କର ସୁଖ୍ୟାତି ରହିଛି। ୨୦୨୦ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଜଣେ
ସଫଳ ଅନୁବାଦକ ଭାବେ ଗୌରହରିଙ୍କର ୬ଟି କୃତି ରହିଛି। ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ଗୌରହରି ଦାସ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ସମ୍ପାଦକ ଏବଂ ସ୍ତମ୍ଭକାର। ୧୯୬୦ରେ ଭଦ୍ରକ ଜିଲାରେ ଜନ୍ମିତ ଡ. ଦାସଙ୍କର ପ୍ରଥମ ପୁସ୍ତକ କ୍ଷୁଦ୍ରଗଳ୍ପ ସଙ୍କଳନ ‘ଜୁଆର ଭଟ୍ଟା’ ୧୯୮୧ରେ ପ୍ରକାଶ ପାଇଥିଲା। ନିଜର ସାହିତି୍ୟକ କୃତି ଲାଗି ସେ ବହୁ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ‘ଛେଳି ଚରେଇବାର ଦିନ’ ଉପନ୍ୟାସଟି ଜଣେ ଦରିଦ୍ର ବ୍ୟକ୍ତିର ଜୀବନ କାହାଣୀ ଉପରେ ପର୍ଯ୍ୟବସିତ।