୬୦ ନଂ. ଜାତୀୟ ରାଜପଥରେ ଗ୍ୟାସ ଟ୍ୟାଙ୍କରରେ ଲାଗିଲା ନିଆଁ: ଜାଣନ୍ତୁ କ’ଣ ଘଟିଲା…

ବସ୍ତା, ୧୪।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ. ଜାତୀୟ ରାଜପଥ ମଥାନୀଠାରେ ଏକ ଗ୍ୟାସ ଟ୍ୟାଙ୍କର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ମାତ୍ର ଏକ ବଡ଼ ଧରଣର ଦୁର୍ଘଟଣାରୁ ଗାଡ଼ିଟି ବର୍ତ୍ତିଯାଇଥିବା ଜଣାପଡିଛି l
ମିଳିଥିବା ସୂଚନା ଅନୁସାରେ, ନାଗାଲ୍ୟାଣ୍ଡର ଏକ ଟ୍ୟାଙ୍କର (ନଂ. ଏନ୍‌ଏଲ୍‌ ୦୧କେ ୬୨୦୪) ହଳଦିଆରୁ ଢେଙ୍କାନାଳ ଅଭିମୁଖେ ଯାଉଥିଲା। ୬୦ ନଂ. ଜାତୀୟ ରାଜପଥର ମଥାନୀଠାରେ ଟ୍ୟାଙ୍କର ଇଞ୍ଜିନରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଖବର ପାଇ ବସ୍ତା ଥାନାଧିକାରୀ ମାନସ କୁମାର ଦେଓ ଓ ବସ୍ତା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳାବାହିନୀ ତୁରନ୍ତ ଇଞ୍ଜିନରେ ଲାଗିଥିବା ନିଆଁକୁ ଆୟତ କରିଥିଲେ। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି l କିଛି ସମୟ ପାଇଁ ରାଜପଥର ଉଭୟ ପାର୍ଶ୍ୱକୁ ବନ୍ଦ କରାଯାଇଥିବା ବେଳେ ଟ୍ୟାଙ୍କରକୁ ଏହାର ଇଞ୍ଜିନରୁ ଅଲଗା କରିଦିଆଯାଇଥିବା ଜଣାପଡିଛି l ତେବେ ଗାଡିର ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି।