ନର୍ଡ ଷ୍ଟ୍ରିମ୍‌ରେ ଗ୍ୟାସ୍‌ ଲିକ୍‌

ଷ୍ଟକ୍‌ହୋମ୍‌, ୨୮।୯: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରଠୁ ପାଶ୍ଚାତ୍ୟ ଦେଶଗୁଡ଼ିକ ମସ୍କୋ ଉପରେ କଟକଣା ଜାରି କରିବାରେ ଲାଗିଛନ୍ତି। ରୁଷିଆ ସହ ତିକ୍ତତା ବଢ଼ି ଚାଲିଥିବାବେଳେ ମସ୍କୋରୁ ଗ୍ୟାସ୍‌ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଧିକାଂଶ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଉଦ୍ୟମ କରୁଛନ୍ତି। ଏହା ମଧ୍ୟରେ ଚିନ୍ତାରେ ପକାଇଦେବା ଭଳି ଖବର ଆସିଛି। ରୁଷିଆରୁ ବାଲ୍‌ଟିକ୍‌ ସାଗର ଦେଇ ଜର୍ମାନୀ ପର୍ଯ୍ୟନ୍ତ ପ୍ରାକୃତିକ ବାଷ୍ପ ବା ନ୍ୟାଚୁରାଲ ଗ୍ୟାସ୍‌ ପରିବହନ ହେଉଥିବା ନର୍ଡ ଷ୍ଟ୍ରିମ୍‌ ପାଇପଲାଇନରୁ ରହସ୍ୟଜନକ ଭାବେ ଗ୍ୟାସ୍‌ ଲିକ୍‌ ହୋଇଛି। ସୋମବାର ନର୍ଡ ଷ୍ଟ୍ରିମ୍‌-୨ରେ ଗ୍ୟାସ୍‌ ଲିକ୍‌ ନେଇ ସୁଇଡେନ୍‌ ସତର୍କ କରାଇବା ପରେ ନର୍ଡ ଷ୍ଟ୍ରିମ୍‌-୧ରେ ମଧ୍ୟ ୨ଟି ଛିଦ୍ର ହୋଇଥିବା ମଙ୍ଗଳବାର କହିଛି। ନର୍ଡ ଷ୍ଟ୍ରିମ୍‌-୨ ଚାଲୁ ନ ଥିଲେ ମଧ୍ୟ ଏଥିରେ ଗ୍ୟାସ୍‌ ଭର୍ତ୍ତି ରହିଛି। ଏହାକୁ ନେଇ ଡେନ୍‌ମାର୍କ ଏବଂ ସୁଇଡେନ୍‌ ଚେତାଇ ଦେଇଛନ୍ତି। ବାଲ୍‌ଟିକ୍‌ ସାଗର ଦେଇ ଯାଉଥିବା ଜାହାଜଗୁଡ଼ିକ ପାଇଁ ଡେନ୍‌ମାର୍କ ସତର୍କ ସୂଚନା ଜାରି କରିଛି। ପାଇପଲାଇନ୍‌ ଥିବା ସ୍ଥାନରୁ ୫ ନଟିକାଲ ମାଇଲ ବ୍ୟାସାର୍ଦ୍ଧ ପରିବ୍ୟାପ୍ତ ଜଳରାଶିରେ ଜାହାଜ ଚଳାଚଳ ନ କରିବାକୁ ପରାମର୍ଶ ଦିଆଯାଇଛି। ପୋଲାଣ୍ଡ ଏବଂ ୟୁରୋପକୁ ରୁଷିଆରୁ ଗ୍ୟାସ ଆମଦାନୀ ବନ୍ଦ କରିବା ନିମନ୍ତେ ନୂଆ ପାଇପ୍‌ଲାଇନ ଉଦ୍‌ଘାଟନ ପାଇଁ ପାଶ୍ଚାତ୍ୟର ନେତାମାନେ ପୋଲାଣ୍ଡର ବୁନ୍ଦୋରେ ପହଞ୍ଚିଥିବାବେଳେ ପାଇପ୍‌ଲାଇନରୁ ଗ୍ୟାସ୍‌ ଲିକ୍‌ ଚିନ୍ତା ବଢ଼ାଇଦେଇଛି।
୧,୨୩୦ କିଲୋମିଟର ପର୍ଯ୍ୟନ୍ତ ଏହି ପାଇପଲାଇନ ରୁଷିଆରୁ ବାଲ୍‌ଟିକ୍‌ ସାଗର ଦେଇ ଜର୍ମାନୀକୁ ଯାଇଛି। ଏହା ମଧ୍ୟରେ ଗ୍ୟାସ୍‌ ଭର୍ତ୍ତି କରାଯାଇଥିଲେ ହେଁ ଅଦ୍ୟାବଧି ପାଇପ୍‌ଲାଇନ ଦେଇ ପରିବହନ ହୋଇନାହିଁ। ଗ୍ୟାସ୍‌ ଲିକ୍‌ର କାରଣ ମଧ୍ୟ ଜଣାପଡ଼ିନାହିଁ। ନର୍ଡ ଷ୍ଟ୍ରିମ୍‌-୨ର ଅପରେଟରର ଜଣେ ମୁଖପାତ୍ର କହିଛନ୍ତି, ଡାନିସ୍‌ ଦ୍ୱୀପ ବର୍ନହୋମ୍‌ର ଉତ୍ତରପୂର୍ବରେ ସୋମବାର ପାଇପ୍‌ଲାଇନରୁ ଗ୍ୟାସ୍‌ ଲିକ୍‌ ହୋଇଥିବା ଜଣାପଡ଼ିଥିଲା। ପାଇପଲାଇନରେ ପ୍ରେସର ହ୍ରାସ ପାଇବା ପରେ ଜର୍ମାନୀ, ସୁଇଡେନ୍‌, ଫିନ୍‌ଲାଣ୍ଡ୍‌ ଏବଂ ରୁଷିଆ ଅଧିକାରୀମାନଙ୍କୁ ସଙ୍ଗେସଙ୍ଗେ ଏ ନେଇ ସୂଚନା ଦିଆଯାଇଥିଲା। ସେଥିରେ ୧୭୭ ନିୟୁତ କ୍ୟୁବିକ୍‌ ମିଟର ଗ୍ୟାସ୍‌ ଥିବାବେଳେ କିଛି ଦିନ ମଧ୍ୟରେ ତାହା ଲିକ୍‌ ହୋଇ ବାହାରିଯିବାର ଆଶଙ୍କା ରହିଛି। ପରିବେଶ ଉପରେ ଏହାର ପ୍ରଭାବ ନେଇ ଚିନ୍ତା ପ୍ରକାଶ ପାଇଥିବାବେଳେ ଏହି ଗ୍ୟାସ୍‌ ବିଷାକ୍ତ ନୁହେଁ ବୋଲି ଜର୍ମାନୀ ପରିବେଶବିତ୍‌ମାନେ କହିଛନ୍ତି। ପ୍ରକାଶ ଥାଉ କି, ନର୍ଡ ଷ୍ଟ୍ରିମ୍‌ ପାଇପଲାଇନ୍‌ ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ଯାଉଥିବାବେଳେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ବିରୋଧ କରି ଜର୍ମାନ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜ ଏହି ପ୍ରକଳ୍ପକୁ ବାତିଲ କରିଥିଲେ।

Share