Categories: ଜାତୀୟ

ଗ୍ୟାସ୍‌ ଲିକ୍‌: ୨ ଅଫିସର ମୃତ, ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ

ପ୍ରୟାଗରାଜ,୨୩।୧୨: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଫୁଲପୁର ଇଫ୍‌କୋ କାରଖାନାରୁ ଗ୍ୟାସ୍‌ ଲିକ୍‌ ଘଟଣାରେ ୨ ଜଣ ଅଫିସରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରଖାନାରୁ ଏମୋନିଆ ଗ୍ୟାସ୍‌ ଲିକ୍‌ ହେବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ମୃତ ଅଫିସରଙ୍କ ନାମ ବି.ପି.ସିଂ ଏବଂ ଅଭୟନନ୍ଦନ ବୋଲି କାରଖାନା ପକ୍ଷରୁ କୁହାଯାଇଛି। ଚ୍ୟାମ୍ବରରୁ ଗ୍ୟାସ୍‌ ଲିକ୍‌ ହେଉଥିବା ଦେଖି ବି.ପି.ସିଂ ଏହାକୁ ବନ୍ଦ କରିବା ଲାଗି ଉଦ୍ୟମ କରୁଥିବାବେଳେ ତାଙ୍କର ଶରୀର ଜଳିପୋଡ଼ି ଯାଇଥିଲା। ଏହାଦେଖି ତାଙ୍କର ସହାୟତା ପାଇଁ ଅଭୟନନ୍ଦନ ସେଠାରେ ପହଞ୍ଚିଥିଲେ। ତେବେ ସେ ମଧ୍ୟ ଗ୍ୟାସ ପ୍ରଭାବରେ ଜଳିପୋଡ଼ି ଯାଇଥିଲେ। ଅସୁସ୍ଥ କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଏହି କାରଖାନାରେ ୧୦୦ରୁ ଅଧିକ କର୍ମଚାରୀ କାମ କରୁଥିବା କୁହାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହିତ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share