Categories: ଜାତୀୟ

ପିଲାଙ୍କୁ ଚକୋଲେଟ୍‌ ଲୋଭ ଦେଖାଇ ନଦୀ ପାର ହେଉଛି ଗ୍ୟାସ ସିଲିଣ୍ଡର

କଟିହାର, ୨୯।୭: ସାଧାରଣ ଚକୋଲେଟ ପାଇଁ କେତେବଡ଼ ମୂଲ୍ୟବାନ ଜୀବନ ଦେବାକୁ ପଡ଼ିଯାରେ, ଯାହାର ଏକ ଜ୍ୱଳନ୍ତ ଉଦାହରଣ ବିହାରର କଟିହାର ଜିଲାରୁ ସାମ୍ନାକୁ ଆସିଛି। ଏଠାରେ ଛୋଟ ଛୋଟ ପିଲାଙ୍କୁ ଚକୋଲୋଟ୍‌ ଲୋଭ ଦେଖାଇ ଉଛୁଳା ନଦୀରେ କିଛି ସ୍ବାର୍ଥବାଦୀ ଲୋକ ନିଜର ଗ୍ୟାସ ସିଲିଣ୍ଡରକୁ ପାର୍‌ କରାଉଛନ୍ତି। ଏଭଳି ଘଟଣା କଟିହାର ଜିଲା ହାସାନଗଞ୍ଜ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଦେଇ ଭାସନା ନଦୀ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଲାଗି କିଛିଦିନ ହେବ ବିହାରରେ ବନ୍ୟାସ୍ଥିତି ଲାଗି ରହିଛି। ଏଭଳି ପରିସ୍ଥିତିରେ ପ୍ରାୟ ସବୁ ନଦୀର ଜଳସ୍ତର ବିପଦଜନକ ସ୍ଥିତିରେ ରହିଛି। ଭାସନା ନଦୀ ନିକଟବର୍ତ୍ତୀ ଗ୍ରାମର କିଛି ଛୋଟ ଛୋଟ ପିଲା ପାଣିକୁ ଲମ୍ଫ ପ୍ରଦାନ କରି ଖେଳିଥାନ୍ତି। କିନ୍ତୁ ନିକଟରେ ଥିବା ରନ୍ଧନ ଗ୍ୟାସ ଗୋଦାମରୁ ସିଲିଣ୍ଡରକୁ ନଦୀ ଅପରପାର୍ଶ୍ୱ ଅଞ୍ଚଳକୁ ନେବା ପାଇଁ କିଛି ଲୋକ ଏହି ଛୋଟ ପିଲାଙ୍କ ସହାୟତା ନେଉଥିବା ଦେଖିବାକୁ ମିଳିଛି। ଗ୍ୟାସ ସିଲିଣ୍ଡର ନଦୀ ପାର୍‌ କରାଇ ଦେଲେ ଚକୋଲେଟ ଦିଆଯିବ ବୋଲି ଲୋଭ ଦେଖାଇ ଏହି ସ୍ବାର୍ଥବାଦୀ ଲୋକ ପିଲାଙ୍କ ଜୀବନକୁ ମରଣ ମୁହଁକୁ ଠେଲି ଦେଉଛନ୍ତି। ଏଠାରେ ବୋଟ୍‌ ଉପଲବ୍ଧି ଥିଲେ ମଧ୍ୟ ଅଧିକ ପଇସା ଖର୍ଚ୍ଚରୁ ବର୍ତିବା ଲାଗି ସାମାନ୍ୟ ୨-୩ ଟଙ୍କାର ଚକୋଲେଟ ସହାୟତାରେ ଏହି ଲୋକମାନେ ନିଜ ସିଲିଣ୍ଡରକୁ ନଦୀ ପାର କରାଇ ନେଉଛନ୍ତି। ଜଣାପଡ଼ିଛି ଯେ, ବୋଟ୍‌ ଚାଳକ ନଦୀ ପାର କରାଇ ଦେବାକୁ ବ୍ୟକ୍ତି ପିଛା ୨୦ ଟଙ୍କା ନେଇଥାଏ। କିନ୍ତୁ ଯେଉଁ ବ୍ୟକ୍ତି ସାଥୀରେ ଗ୍ୟାସ ସିଲିଣ୍ଡର ନେଇ ଯିବେ ତେବେ ତାଙ୍କୁ ଦୁଇଗୁଣା ଭଡ଼ା ଲାଗିଥାଏ। ତେଣୁ କିଛି ଲୋକ ଟଙ୍କା ବଞ୍ଚାଇବା ଲୋଭରେ ବୋଟ୍‌ ଚାଳକକୁ ୪୦ ଟଙ୍କା ଦେବା ଅପେକ୍ଷା ମାତ୍ର ୨-୩ ଟଙ୍କାରେ କାମ ହାସଲ କରିନେଇଛନ୍ତି। ଛୋଟ ଛୋଟ ପିଲାମାନେ ଉଛୁଳା ନଦୀ ମଧ୍ୟରେ ଗ୍ୟାସ ସିଲିଣ୍ଡରକୁ ଟାଣି ଟାଣି ନଦୀ ପାର କରାଇବା ଦୃଶ୍ୟ ବେଶ୍‌ ଭୟଙ୍କର। କେତେବେଳେ ମଧ୍ୟ ବଡ଼ ଅଘଟଣ ଘଟିଯିବାର ଯଥେଷ୍ଟ ସମ୍ଭାବନା ରହିଛି।

Share