ଥୁଆମୂଳରାମପୁର, ୨୪ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଏବେ ରନ୍ଧନ ଗ୍ୟାସର ଘୋର ଅଭାବ ଦେଖାଦେଇଛି। ସରକାର ‘ଉଜ୍ଜ୍ୱଳା ଯୋଜନା’ ମାଧ୍ୟମରେ ଘରେ ଘରେ ସ୍ବଚ୍ଛ ଇନ୍ଧନ ପହଞ୍ଚାଇବାକୁ ବଡ଼ସ୍ବଡ଼ ଦାବି କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ବ୍ଲକର ୨୪ଟି ପଞ୍ଚାୟତର ହଜାର ହଜାର ହିତାଧିକାରୀ ଗ୍ୟାସ ପାଇଁ ଏଜେନ୍ସି ଦୁଆର ମାଡ଼ୁଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ୁଛି। ଫଳରେ ଏହି ଗ୍ରୀଷ୍ମ ପ୍ରବାହ ସମୟରେ ଲୋକେ ବାଧ୍ୟ ହୋଇ ପୁଣି ଚୁଲି ଧୂଆଁରେ ରୋଷେଇ କରୁଛନ୍ତି, ଯାହା ମହିଳାମାନଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି।
ସୂଚନା ଅନୁଯାୟୀ, ଇଣ୍ଡିଆନ ଏବଂ ଭାରତ ଗ୍ୟାସ ଭଳି ପ୍ରତିଷ୍ଠିତ କମ୍ପାନୀର ଏଜେନ୍ସିମାନେ ଗ୍ରାହକଙ୍କୁ ସଠିକ ସମୟରେ ସିଲିଣ୍ଡର ଯୋଗାଇବାରେ ବିଫଳ ହୋଇଛନ୍ତି। ଗ୍ରାହକମାନେ ଏଜେନ୍ସିକୁ ପଚାରିଲେ, ‘କମ୍ପାନୀରୁ ଗ୍ୟାସ ଆସୁନାହିଁ’ କିମ୍ବା ‘କେବେ ଆସିବ କହିହେବ ନାହିଁ’ କହି ଦାୟିତ୍ୱ ଖଲାସ କରିଦେଉଛନ୍ତି। ସରକାରୀ ନିୟମ ଅନୁଯାୟୀ ୪୫ ଦିନ ମଧ୍ୟରେ ଗ୍ରାହକଙ୍କୁ ଗ୍ୟାସ ମିଳିବା କଥା, କିନ୍ତୁ ଏଠାରେ ୬୦ରୁ ୭୦ ଦିନ ବିତିଯାଇଥିଲେ ମଧ୍ୟ ଗ୍ୟାସ ମିଳୁ ନ ଥିବା ଅଭିଯୋଗ ହେଉଛି। କିଛି ଏଜେନ୍ସି ମାଲିକ ମଧ୍ୟ ଷ୍ଟକ ନ ଥିବା ଦର୍ଶାଇ ଗ୍ରାହକଙ୍କୁ ସିଧାସଳଖ ମନା କରିଦେଉଛନ୍ତି।
ସରକାର ଡବଲ ଇଞ୍ଜିନ ଶାସନରେ ଦ୍ରୁତ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଦୁର୍ଗମ ଅଞ୍ଚଳରେ ଇନ୍ଧନର ସଙ୍କଟ ସରକାରଙ୍କ ଯୋଜନାର ଅସଲ ମୁଖା ଖୋଲି ଦେଇଛି। ଘରେ ଘରେ ଗ୍ୟାସ ଯୋଗାଇବା ଦାବି ଏବେ ଥୁଆମୂଳ ରାମପୁର ବ୍ଲକରେ ପ୍ରହସନ ପାଲଟିଛି। ଯଦି ପର୍ଯ୍ୟାପ୍ତ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି, ତେବେ ଗ୍ରାହକମାନେ କାହିଁକି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ଗ୍ରୀଷ୍ମ ଋତୁରେ ଜାଳେଣି କାଠ ସଂଗ୍ରହ କରି ରୋଷେଇ କରିବା ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହି ଗ୍ୟାସ ସଙ୍କଟର ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାହକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଯଦି ଆଗାମୀ ଦିନରେ ଏଜେନ୍ସିମାନେ ସୁଧୁରିବେ ନାହିଁ ଏବଂ ଗ୍ୟାସ ଯୋଗାଣ ସ୍ବଭାବିକ ହେବ ନାହିଁ, ତେବେ ଉପଭୋକ୍ତାମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।