Categories: ଜାତୀୟ

ଭାରତୀୟ ଶିକ୍ଷାର ଗୈରିକୀକରଣ

ନୂଆଦିଲ୍ଲୀ,୬ା୪: ଦେଶର ସାମ୍ପ୍ରଦାୟିକ ସ୍ଥିତି ଉପରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁର ଯାଦୁକରୀ ପ୍ରଭାବ ରହିଥିଲା, ହିନ୍ଦୁ-ମୁସଲମାନ ଏକତା ପାଇଁ ଗାନ୍ଧିଜୀଙ୍କ ଅଧ୍ୟବସାୟ ହିନ୍ଦୁ କଠୋରପନ୍ଥୀମାନଙ୍କୁ ଉତ୍ତେଜିତ କରିଥିଲା ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଭଳି ସଙ୍ଗଠନଗୁଡ଼ିକୁ ସାମୟିକ ଭାବେ ନିଷିଦ୍ଧ କରାଯାଇଥିଲା। ନୂଆ ଶିକ୍ଷାବର୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଦ୍ୱାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକରେ ଆଉ ଦେଖିବାକୁ ମିଳିବ ନାହିଁ। କାରଣ ନ୍ୟାଶନାଲ କାଉନ୍‌ସିଲ୍‌ ଅଫ୍‌ ଏଜୁକେଶନାଲ୍‌ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ (ଏନ୍‌ସିଇଆର୍‌ଟି) ଏହି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଅପ୍ରାସଙ୍ଗିକ ଦର୍ଶାଇ ହଟାଇଦେଇଛି।

ଗୁଜରାଟ ଦଙ୍ଗା, ମୋଗଲ ଅଦାଲତ, ଜରୁରିକାଳୀନ ପରିସ୍ଥିତି, ଶୀତଳଯୁଦ୍ଧ, ନକ୍ସଲ ଆନ୍ଦୋଳନ ସମ୍ପର୍କିତ ପାଠ ମଧ୍ୟ ବହିରୁ ହଟାଯାଇଛି। ଗୁଜରାଟ ଦଙ୍ଗା ସମ୍ପର୍କିତ ଏକ ଅଂଶକୁ ଏକାଦଶ ଶ୍ରେଣୀ ସୋସିଓଲୋଜି ପୁସ୍ତକରୁ ହଟାଇ ଦିଆଯାଇଛି। ଏହା ପୂର୍ବରୁ ୨୦୦୨ ସାମ୍ପ୍ରଦାୟିକ ହିଂସାକୁ ମଧ୍ୟ ଦ୍ୱାଦଶ ଶ୍ରେଣୀ ପୁସ୍ତକରୁ ବାଦ୍‌ ଦିଆଯାଇଥିଲା। ସମାଲୋଚକଙ୍କ ମତରେ ଏହା ହେଉଛି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଗୈରିକୀକରଣ।

ନିର୍ଦ୍ଦେଶକ ଦୀନେଶ ସାକ୍‌ଲାନି କହିଛନ୍ତି, ଏସବୁ ଗତବର୍ଷର ନିଷ୍ପତ୍ତି। ଚଳିବର୍ଷ ନୂଆ କିଛି କରାଯାଇନାହିଁ। ଏନ୍‌ସିଇଆର୍‌ଟି ଓ୍ବେବ୍‌ସାଇଟ୍‌ରେ ଦିଆଯାଇଥିବା ଏକ ବିବରଣୀ ଅନୁସାରେ କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ପାଠ ବୋଝକୁ ଲାଘବ କରିବା ନିମନ୍ତେ ଏହା ଜରୁରୀ ଥିଲା। ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ୨୦୨୦ରେ ମଧ୍ୟ ବିଷୟବସ୍ତୁର ବୋଝ ହ୍ରାସ ପାଇଁ ଗୁରୁତ୍ୱ ଦିଆଯାଇଛି। ସୃଜନଶୀଳ ମାନସିକତା ସହ ପ୍ରୟୋଗାମତ୍କ ଶିକ୍ଷା ପାଇଁ ଏହା ସୁଯୋଗ ପ୍ରଦାନ କରିବ। ଏହାକୁ ଧ୍ୟାନରେ ରଖି ସମସ୍ତ ଶ୍ରେଣୀର ସବୁ ବିଷୟବସ୍ତୁକୁ ସୁସଙ୍ଗତ କରାଯାଇଛି। ସାମ୍ପ୍ରତିକ ସଂସ୍କରଣ ହେଉଛି ପରିବର୍ତ୍ତନ କରାଯିବା ପରେ ଏକ ନୂଆ ଫର୍ମାଟ୍‌ର ଭର୍ସନ।

ବର୍ତ୍ତମାନର ଟେକ୍ସବୁକ୍ସ ହେଉଛି ଯୁକ୍ତିସିଦ୍ଧ ପୁସ୍ତକ। ୨୦୨୨-୨୩ ସେସନ୍‌ରେ ଏହି ନିଷ୍ପତ୍ତି ନିଆଯାଇଥିଲା, ଯାହାକି ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ ହେବ ବୋଲି ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି। ନୂଆ ପାଠ୍ୟ ପୁସ୍ତକରେ ଅଣାଯାଇଥିବା ପରିବର୍ତ୍ତନ ସମ୍ପର୍କରେ ଦିନେ ଦୁଇଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଏନ୍‌ସିଇଆର୍‌ଟି ନିର୍ଦ୍ଦେଶକ ସାଲ୍‌କାନି କହିଛନ୍ତି। ଅନ୍ୟପକ୍ଷେ ଏନ୍‌ସିଇଆର୍‌ଟି ପୁସ୍ତକଗୁଡ଼ିକରେ ପରିବର୍ତ୍ତନକୁ ବିରୋଧୀ କଂଗ୍ରେସ ନିନ୍ଦା କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କ ମତରେ ଇତିହାସର ପୁନର୍ଲିଖନ ଉଦ୍ୟମ କରୁଥିବା ଭାଜପା-ଆର୍‌ଏସ୍‌ଏସ୍‌ ଇତିହାସର ଡଷ୍ଟବିନ୍‌କୁ ଚାଲିଯିବେ।

କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ପ୍ରତିଶୋଧ ନେବା ପାଇଁ ଇତିହାସକୁ କଳଙ୍କିତ କରିବା ସହ ସେଥିରେ ଚୂନ ମାରିଛନ୍ତି। ସେମାନେ ଯେତେ ଅପଚେଷ୍ଟା କଲେ ବି ଇତିହାସକୁ ବଦଳାଇପାରିବେ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ଭାରତୀୟ ଇତିହାସକୁ ନେଇ ସର୍ବାଧିକ ଚଞ୍ଚକତା କରିଥିଲା। ଅତୀତର ସେହି ଭୁଲ୍‌ଗୁଡ଼ିକୁ ଭାଜପା କେବଳ ସୁଧାରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି।

Share