ଗଞ୍ଜାମ,୨୯ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଐତିହାସିକ ଚନ୍ଦନ ଯାତ୍ରା ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବାବେଳେ ବୁଧବାର ଅଷ୍ଟମ ଦିବସରେ ପହଞ୍ଚିଛି। ଭକ୍ତି, ପରମ୍ପରାର ଏହି ଯାତ୍ରା ଦୀର୍ଘ ୨୧ଦିନ ଧରି ଚାଲିବ। ଗତ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ସାହି ଓ ସହର। ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେଉଥିବା ଏହି ୨୧ ଦିନିଆ ଯାତ୍ରା ଆସନ୍ତା ମେ’ ୧୧ରେ ସମ୍ପନ୍ନ ହେବ। ପ୍ରଥମ ଦିନରେ ମଦନମୋହନ ଗୋପାଳ ସ୍ବାମୀଙ୍କ ଭବ୍ୟ ପରିକ୍ରମା ସାମନ୍ତରା ସାହିରୁ ଆରମ୍ଭ ହୋଇ ବିଭିନ୍ନ ସାହି ଓ ନଗର ପରିକ୍ରମା କରାଯାଇଥିଲା। ପ୍ରତ୍ୟେକ ଦିନ ରାତିରେ ଠାକୁରଙ୍କୁ ସୁସଜ୍ଜିତ ଡଙ୍ଗାରେ ତିନି ଘେରା ଚାପ ଖେଳୁଛନ୍ତି। ଆସନ୍ତା ୨ ତାରିଖରୁ ଯାତ୍ରା ସରିବା ପର୍ଯ୍ୟନ୍ତ ବାବା ମଦନମୋହନ ସାତ ଘେରା ବୁଲିବେ ବୋଲି ଆୟୋଜକ ସୂଚନା ଦେଇଛନ୍ତି। ଠାକୁରଙ୍କୁ ଚନ୍ଦନ ବୋଳା ଯାଇ ଡଙ୍ଗାରେ ଚାପ ଖେଳିବା ପାଇଁ ବିରାଜମାନ କରାଯାଇ ବେଢ଼ା ବୁଲିବା ବେଳେ ଶଙ୍ଖ, କାହାଳୀ ଓ ହରିବୋଲ ହୁଳହୁଳିରେ ପରିବେଶ ଭକ୍ତିମୟ ହୋଇଉଠୁଥିବା ଦେଖିବାକୁ ମିଳିଛି। ତିନି ଘେରା ନୌକା ବିହାର ପରେ ଠାକୁରଙ୍କୁ ଚନ୍ଦନ କୁଣ୍ଡରେ ସ୍ନାନ କରାଯିବ ଓ ବେଶ ପରିବର୍ତ୍ତନ ସହ ରତ୍ନ ସିଂହାସନରେ ବିଜେ କରାଯାଉଛି। ଆଳତି ଓ ରାଜଭୋଗ ନୀତି ସମ୍ପନ୍ନ ହେଉଛି। ୧୫ରୁ ୨୧ ଦିନ ମଧ୍ୟରେ କାଳିୟ ଦଳନରୁ ଆରମ୍ଭ କରି ଅନନ୍ତ ଶୟନ ପର୍ଯ୍ୟନ୍ତ ୭ଟି ବିଶେଷ ବେଶରେ ଦର୍ଶନ ଦେବେ ମଦନ ମୋହନ l ଯାତ୍ରାର ଶେଷ ଦିନରେ ଗୋପାଳ ସ୍ବାମୀ ତ୍ରିବେଣୀ ମଠ ଛକକୁ ଯାଇ ଦେବଦେବୀଙ୍କୁ ନିମନ୍ତ୍ରଣ କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏଥିସହ ରାମଦୋଳି, ମୀନା ବଜାର ପଡ଼ିଥିବା ଦେଖିବାକୁ ମିଳିଛି। ତିନି ସାହି ତଥା କରଣ ସାହି, ସାମନ୍ତରା ସାହି ଓ ପଣ୍ଡା ସାହି ଏହି ଚନ୍ଦନ ଯାତ୍ରା ପରିଚାଳନା କରୁଥିବା ବେଳେ ଆଇନଶୃଙ୍ଖଳା ପାଇଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।