ଗଞ୍ଜାମ,୨୦ା୪(ବିଦ୍ୟାଧର ସାହୁ): ଦୀର୍ଘ ୨୧ଦିନ ଧରି ଭକ୍ତି, ପରମ୍ପରା ଓ ଆନନ୍ଦର ରଙ୍ଗରେ ରଙ୍ଗିତ ହେବ ଗଞ୍ଜାମ ସହର। ସୋମବାର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଗଞ୍ଜାମ ପ୍ରସିଦ୍ଧ ଚନ୍ଦନ ଯାତ୍ରା। ଏଥିପାଇଁ ଚଳ ଚଞ୍ଚଳ ହୋଇଉଠିଛି ସାହି ଓ ସହ। ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେଉଥିବା ଏହି ୨୧ ଦିନିଆ ଯାତ୍ରା ପୂର୍ବରୁ ଶ୍ରୀରାମ ନବମୀ ଦିନେ ଶୁଭ ଖୁଣ୍ଟି ପୋତାଯାଇଥିଲା।
ପ୍ରଥମ ଦିନରେ ମଦନମୋହନ ଗୋପାଳ ସ୍ବାମୀଙ୍କ ଭବ୍ୟ ପରିକ୍ରମା ସାମନ୍ତରା ସାହିରୁ ଆରମ୍ଭ ହୋଇ ବିଭିନ୍ନ ସାହି ମାର୍ଗ ଦେଇ ହେବ। ନଗର ପରିକ୍ରମା ପରେ ଠାକୁରଙ୍କୁ ଚାପ ଉପରେ ବିରାଜମାନ କରାଯାଇ ନୌକା ବିହାର କରାଯିବ। ଶଙ୍ଖ, କାହାଳୀ ଓ ବାଙ୍କ ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠିବ। ତିନି ଘେରା ନୌକା ବିହାର ପରେ ଠାକୁରଙ୍କୁ ଚନ୍ଦନ କୁଣ୍ଡରେ ସ୍ନାନ କରାଯିବ ଓ ବେଶ ପରିବର୍ତ୍ତନ ସହ ରତ୍ନ ସିଂହାସନରେ ବିଜେ କରାଯିବ। ପରେ ଆଳତୀ ଓ ରାଜଭୋଗ ନୀତି ସମ୍ପନ୍ନ ହେବ। ରାତ୍ରି ୧୦ଟା ପରେ ଦ୍ୱିତୀୟ ଚାପ ଯାତ୍ରା ମଧ୍ୟ ଅନୁଷ୍ଠିତ ହେବ। ପ୍ରଥମ ୧୪ ଦିନ ପର୍ଯ୍ୟନ୍ତ ଏହି ଚାପ ଯାତ୍ରା ଚାଲିବା ପରେ ଭଉଁରୀ ଯାତ୍ରା ଆରମ୍ଭ ହୋଇ ୨୧ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ସାତ ଘେରା ନୌକା ବିହାର ଓ ଭଉଁରୀ ଖେଳ ଦର୍ଶକଙ୍କୁ ଆକର୍ଷିତ କରିବ। ଠାକୁର ମଦନମୋହନ ଚାପ ଖେଳିବା ଲାଗି ଚାପ ବନ୍ଧକୁ ସୁସଜ୍ଜିତ କରାଯାଇଛି। ୧୫ରୁ ୨୧ ଦିନ ମଧ୍ୟରେ କାଳିୟ ଦଳନରୁ ଆରମ୍ଭ କରି ଅନନ୍ତ ଶୟନ ପର୍ଯ୍ୟନ୍ତ ୭ଟି ବିଶେଷ ବେଶ ଦର୍ଶନ ହେବ। ଆଲୋକମାଳାରେ ସଜା ଠାକୁର ଓ ନିଆଳି ଡଙ୍ଗା ରାତ୍ରିରେ ଅପୂର୍ବ ଦୃଶ୍ୟ ସୃଷ୍ଟି କରିବ। ଯାତ୍ରାର ଶେଷ ଦିନରେ ଗୋପାଳ ସ୍ବାମୀ ତ୍ରିବେଣୀ ମଠ ଛକକୁ ଯାଇ ଦେବଦେବୀଙ୍କୁ ନିମନ୍ତ୍ରଣ କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ପରେ ପୂଜାର୍ଚ୍ଚନା, ନୌକା ବିହାର ଓ ଚନ୍ଦନ ଲେପନ ସହ ଯାତ୍ରାର ଭବ୍ୟ ସମାପନ ହେବ। ଉତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଯାତାୟାତ ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନଙ୍କୁ ଶୃଙ୍ଖଳାବଦ୍ଧ ଭାବେ ଯାତ୍ରାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଏଥିସହ ରାମଦୋଳି, ମୀନାବଜାର ପଡ଼ିଥିବା ଦେଖିବାକୁ ମିଳିଛି।