ବାହାର ଲୋକଙ୍କୁ ଗଞ୍ଜାମ ମନା

ଛତ୍ରପୁର,୨୯।୩(ଡିଏନଏ ): ଗଞ୍ଜାମ ଜିଲାରେ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ଅଭାବ ଦେଖାଯାଉଛି। କୋଭିଡ ସଂକ୍ରମଣରୁ ବର୍ତ୍ତିବା ପାଇଁ ଜାରି କରିଥିବା ନିତୀ ନିୟମ ପାଳନ ହେଉନାହିଁ। ଏ ନେଇ ସଂକ୍ରମଣ ବଢ଼ୁଥିବା ଅନୁମାନ କରାଯାଉଛି। ସଂକ୍ରମଣରୁ ରୋକିବା ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରନ୍ସିରେ ଜିଲାର ସମସ୍ତ ସରପଞ୍ଚ, ଜିଲାପରିଷଦ ସଭ୍ୟ ଓ ଅଧିକାରୀ ମାନଙ୍କ ସହ ଜିଲାପାଳ ଆଲେଚନା କରିଛନ୍ତି। ଜିଲା ବାହାରେ ଏବଂ ଅନ୍ୟ ରାଜ୍ୟରେ ରହୁଥିବା ଜିଲାର ପ୍ରବାସୀ ମାନଙ୍କୁ ଅନୁରୋଧ କରି ଜଣାନ୍ତୁ ସେମାନେ ଯେଉଁଠାରେ ଅଛନ୍ତି ସେହିଠାରେ ହିଁ ରୁହନ୍ତୁ ବୋଲି ଜିଲାପାଳ କହିଛନ୍ତି । ଦଣ୍ଡନାଚ, ଯାନିଯାତ୍ରା କି ମା’ ତାରା ତାରିଣୀ ଯାତ୍ରା ସକାଶେ ଜିଲାକୁ ଆସନ୍ତୁ ନାହିଁ । ଜିଲାକୁ ଆସିବା ଫଳରେ ନିଜ ପରିବାର ସମେତ ଜିଲାବାସୀଙ୍କୁ ମଧ୍ୟ ବିପଦରେ ପକାଇବାର ଯଥେଷ୍ଟ ସମ୍ଭାବନା ରହୁଛି । ଅତି ଜରୁରୀ କାର୍ଯ୍ୟ କିମ୍ବା ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଯେଉଁମାନେ ଆସୁଛନ୍ତି ସେମାନେ ନିଜ ସାଥିରେ କୋଭିଡ ଟେଷ୍ଟର ରିପୋର୍ଟ ଆଣିବାକୁ ବାଧ୍ୟ ବୋଲି ଜିଲାପାଳ କହିଛନ୍ତି।