ଗଞ୍ଜାମ ପୋଲିସ ପକ୍ଷରୁ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ: ଯୋଗ ଦେଲେ ବହୁ ସଂଖ୍ୟକ ଛାତ୍ରୀ

ଗଞ୍ଜାମ,୯।୫(ଅନାଥ ତରାଇ): ଗଞ୍ଜାମ ଥାନା ପକ୍ଷରୁ ପୋଲିସ ଓ ଜନସାଧାରଣ ବିଶେଷକରି କିଶୋର କିଶୋରୀଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଲକ୍ଷ୍ୟରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପୋଲିସ ଏବଂ ୟୁନିସେଫ୍‌ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସ ମାଧ୍ୟମରେ ନାବାଳିକାଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାର ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି। ଥାନା ଅଧିକାରିଣୀ ସୁମିତ୍ରା ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ପିଲାମାନଙ୍କୁ ଥାନା ପରିସର ବୁଲାଇ ଦେଖାଯିବା ସହ ପୋଲିସର କାର୍ଯ୍ୟଶୈଳୀ ସମ୍ପର୍କରେ ଅବଗତ କରାଯାଇଥିଲା।
ଶ୍ରୀମତୀ ପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ପୋଲିସ ସବୁବେଳେ ଜନସାଧାରଣଙ୍କ ସେବା ପାଇଁ ଉତ୍ସର୍ଗୀକୃତ, ତେଣୁ କୌଣସି ଅସୁବିଧା ହେଲେ ଭୟ ନକରି ସହାୟତା ପାଇଁ ଆଗେଇ ଆସିବା ଉଚିତ୍‌। ବିଶେଷକରି ବାଲ୍ୟ ବିବାହ ରୋକିବା, ନାବାଳିକାଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାରର ପ୍ରତିବାଦ କରିବା ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନେବା ଉପରେ ଏଠାରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହ ସାମ୍ପ୍ରତିକ ସମୟରେ ବଢ଼ୁଥିବା ସାଇବର ଅପରାଧ ଏବଂ ସୋସିଆଲ ମିଡିଆର ଅପବ୍ୟବହାରରୁ କିଭଳି ଦୂରେଇ ରହିବେ, ସେ ନେଇ ଛାତ୍ରୀମାନଙ୍କୁ କୌଶଳ ଶିକ୍ଷା ଦିଆଯାଇଥିଲା। ୨୦୨୬ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଗାମୀ ପିଢ଼ି ପାଇଁ ଏକ ନିରାପଦ ଡିଜିଟାଲ ପରିବେଶ ଓ ସୁରକ୍ଷିତ ସମାଜ ଗଠନରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Odisha’s No.1 Odia Daily

Share