ଛତ୍ରପୁର,୨୦ା୧୧(ଦିଲ୍ଲୀପ ସାମଲ): ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଷଷ୍ଠ ଜାତୀୟ ଜଳ ପୁରସ୍କାର-୨୦୨୪ ଏବଂ ପ୍ରଥମ ଜଳ ସଂଚୟ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କରିଛନ୍ତି। ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବର୍ଗର ବିଜେତାଙ୍କୁ ମଙ୍ଗଳବାର ପୁରସ୍କୃତ କରାଯାଇଥିଲା। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶସ୍ତିପତ୍ର, ଏକ ଟ୍ରଫି ଏବଂ କିଛି ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲା ମଧ୍ୟରେ ଓଡ଼ିଶାର ଗଞ୍ଜାମ ଜିଲାକୁ ତୃତୀୟ ବର୍ଗର ୪ର୍ଥ ରାଙ୍କ୍ରେ ପୁରସ୍କୃତ କରାଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ପରିଷଦର ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା ଟ୍ରଫି ସହ ପୁରସ୍କାର ଗ୍ରହଣ କରିଛନ୍ତି। ଜଳ ସଞ୍ଚୟ ଜନ ଭାଗୀଦାରୀ (ଜେଏସ୍ଜେବି) ପ୍ରୟାସରେ ଭୂତଳ ଜଳ ପୁନଃଚାର୍ଜ ଢାଞ୍ଚା ବିକାଶରେ ଅନୁକରଣୀୟ ଅବଦାନ ପାଇଁ ଏହି ପୁରସ୍କୃତ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲାରେ ୯,୪୦୨ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି।
ଏହି ପୁରସ୍କୃତ ସମାରୋହରେ କେନ୍ଦ୍ରଜଳ ଶକ୍ତିମନ୍ତ୍ରୀ ସି.ଆର. ପାଟିଲ, କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ଜଳ ସମ୍ପଦ, ଆର୍ଡି ଏବଂ ଜିଆର ବିଭାଗର ସଚିବ ଭି. ଏଲ. କଣ୍ଠ ରାଓ, ଜଳଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଏବଂ ପରିମଳ ବିଭାଗର ସଚିବ ଅଶୋକ କେ. କେ. ମୀନାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ପୁରସ୍କାର ମିଳିବା ପରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ସମସ୍ତ ଟିମ୍କୁ ଶୁଭେଚ୍ଛା ଜଣାଇବା ସହିତ ଜିଲାରେ କିପରି ଏଭଳି ବିକାଶ କାର୍ଯ୍ୟକ୍ରମ ଜାରି ରହିବ ସେଥିପାଇଁ ପରାମର୍ଶ ଦେଇଥିଲେ।
ସୂଚନାଯୋଗ୍ୟ, ଓଡ଼ିଶାର ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା, କଟକ ତୃତୀୟ ବର୍ଗରେ ପୁରସ୍କୃତ ହୋଇଛନ୍ତି। ଜିଲାରେ ବିଭିନ୍ନ ଜଳପ୍ରକଳ୍ପକୁ ସଫଳତାର ପୂର୍ବକ କାର୍ଯ୍ୟକାରୀ କରିବା ଲାଗି ପ୍ରତ୍ୟେକ ଜିଲାକୁ ୨୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯାଇଛି।


