ସ୍ପଷ୍ଟ କଲେ ଗଞ୍ଜାମ ଜିଲାପାଳ: କୋଭିଡ ନିୟମରେ ହେବ ତାରାତାରିଣୀ ଯାତ୍ରା; ସେବାୟତଙ୍କ ହେବ କରୋନା ଟେଷ୍ଟ

ଛତ୍ରପୁର, ୧୨।୩(ଡି.ଏନ.ଏ.)- ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ତାରାତାରିଣୀ ଚୈତ୍ର ମଙ୍ଗଳବାର ଯାତ୍ରା କୋଭିଡ ଗାଇଡ୍‌ଲାଇନରେ ପାଳିତ ହେବ। ଏଥିପାଇଁ ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଶୁକ୍ରବାର ଛତ୍ରପୁରସ୍ଥିତ ଜ଼ିଲାପାଳଙ୍କ କାର୍ଯ୍ୟାଳୟରେ ଯାତ୍ରା ସମ୍ବନ୍ଧୀୟ ପ୍ରସ୍ତୁତି ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ମାର୍ଚ୍ଚ ୩୦, ଏପ୍ରିଲ ୬, ୧୩, ୨୦ ଓ ୨୭ ତାରିଖ ମୋଟ ୫ଟି ମଙ୍ଗଳବାରରେ ମା’ଙ୍କ ଚୈତ୍ର ମେଳା ଅନୁଷ୍ଠିତ ହେବ। ଯାତ୍ରାକୁ ଅନ୍ୟ ଜିଲା କିମ୍ବା ଅନ୍ୟ ରାଜ୍ୟର ଜନସାଧାରଣ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏହାଛଡ଼ା ପାହାଡ଼ ତଳେ ମୁଣ୍ଡନ କାର୍ଯ୍ୟ ହେବ। ଆବଶ୍ୟକ ପଡିଲେ ଜଣସାଧାରଣଙ୍କ କୋଭିଡ ଟେଷ୍ଟ ହେବ। ପାହାଡ଼ ଉପରକୁ କୌଣସି ଗାଡି ଛଡ଼ାଯିବ ନାହିଁ। ପ୍ରଶାସନ ପକ୍ଷରୁ ଗାଡି ବ୍ୟବସ୍ଥା ରହିବ। ଏଥିସହ ବିନା ମାସ୍କରେ ମନ୍ଦିରକୁ ଜନସାଧାରଣଙ୍କୁ ପ୍ରବେଶ ନିଷେଧ ବୋଲି ଜ଼ିଲାପାଳ କହିଛନ୍ତି।