ବାତ୍ୟା ‘ଅକ୍ୱାନ’ ପାଇଁ ସଜାଗ ଗଞ୍ଜାମ ଏନ୍‌ଏସି: ଥଇଥାନ ବ୍ୟକ୍ତିଙ୍କୁ କମ୍ବଳ ବାଣ୍ଟିଲେ ଇଓ, ୧୦୨ ଜଣଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ

ଗଞ୍ଜାମ, ୧୯।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଥିବା ବେଳେ ଆସନ୍ତାକାଲି ପୂର୍ବାହ୍ନରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ବାତ୍ୟାର ପ୍ରଭାବରେ ସକାଳୁ ଅଞ୍ଚଳରେ ବର୍ଷା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଏନ୍‌ଏସି ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ପ୍ରଶାସନିକ ସୂଚନା ଅନୁଯାୟୀ, ଏନ୍‌ଏସିର ୱାର୍ଡ ନମ୍ବର ୫ ବସ୍ତି ବାସିନ୍ଦା ଏବଂ ୱାର୍ଡ ନମ୍ବର ୧୧ ଓ ୧୨ ଦାମୋଦରପୁର ଅଞ୍ଚଳରୁ ପ୍ରାୟ ୨୨ ଜଣଙ୍କୁ ଉଦ୍ଧାର କରାଯାଇ ଭାରତୀ ବିଦ୍ୟାପୀଠ ସ୍କୁଲରେ ସୁରକ୍ଷିତ ଭାବେ ଥଇଥାନ କରାଯାଇଛି। ସେହିପରି ୱାର୍ଡ ନମ୍ବର ୭ ବାଲିସାହିସ୍ଥିତ କୋଠାଘରେ ୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ଅପର୍ଣ୍ଣା ଡାଙ୍ଗୁଆ ସୂଚନା ଦେଇଛନ୍ତି।

ଥଇଥାନ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ କମ୍ବଳ ବଣ୍ଟନ କରାଯିବା ସହ ମୋଟ ୧୦୨ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ଇଓ ଡାଙ୍ଗୁଆ କହିଛନ୍ତି। କମ୍ବଳ ବଣ୍ଟନ ସମୟରେ ଏନ୍‌ଏସି ଗୋଷ୍ଠୀ ସଂଗଠିକା (ସିଓ) ଅଞ୍ଜଳି ପାଢ଼ୀ, ଜଗତ ଜ୍ୟୋତି ସାମଲ, କନିଷ୍ଠ ଯନ୍ତ୍ରୀ (ଏଇ) ମମତା ପଣ୍ଡା ଏବଂ ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଏନ୍‌ଏସି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଗୋଷ୍ଠୀ ସଂଗଠିକା ଅଞ୍ଜଳି ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share