ଛତ୍ରପୁର,୧୪ା୧୦(ଦିଲ୍ଲୀପ ସାମଲ): ଦିନକ ପରେ ଛାତ୍ର ସଂସଦ ନିର୍ବାଚନ। ଗଞ୍ଜାମ କଲେଜରେ ଏବିଭିପି ଓ ବିସିଜେଡି ମଧ୍ୟରେ କଡ଼ା ଟକ୍କର ଚାଲିଛି। ଏହି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ବିସିଜେଡି ପ୍ରାର୍ଥୀମାନେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। କଲେଜ କର୍ମଚାରୀମାନେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଛାତ୍ରୀଛାତ୍ରଙ୍କ ଉପରେ ଚାପ ପକାଇବା ସହ ହସ୍ତକ୍ଷେପ କରୁଛନ୍ତି ବୋଲି ଛତ୍ରପୁର ଉପଜିଲାପାଳଙ୍କୁ ବିସିଜେଡି ପ୍ରାର୍ଥୀମାନେ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ମହାବିଦ୍ୟାଳୟ କର୍ମଚାରୀମାନେ ଖୋଲାଖୋଲି ଭାବେ ସରକାରୀ ନିୟମାବଳୀ ଉଲଘଂନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ମହାବିଦ୍ୟାଳୟ ପରିସରରେ ଏବଂ ଛାତ୍ରୀଛାତ୍ରଙ୍କ ଘରକୁ ଯାଇ ଏବିଭିପି ପ୍ରାର୍ଥୀଙ୍କୁ ଭୋଟ୍ ଦେବ ନ ହେଲେ ମାର୍କ କାଟି ଦିଆଯିବ ବୋଲି ମହାବିଦ୍ୟାଳୟ କର୍ମଚାରୀମାନେ ଧମକ ଦେଉଥିବା ବିସିଜେଡି ପ୍ରାର୍ଥୀ ଉପଜିଲାପାଳଙ୍କୁ ଅବଗତ କରାଇଛନ୍ତି। ଏନେଇ ଉପଜିଲାପାଳ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବନାହିଁ। ଏହା ସହିତ ଉପଜିଲାପାଳ ତାଗିଦ କରିଛନ୍ତି। ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମହାବିଦ୍ୟାଳୟ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବେ ପରିଚାଳନା କରାଯିବ। ନିୟମ ବିରୋଧୀ କାର୍ଯ୍ୟକଳାପ ନ କରିବାକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉପଜିଲାପାଳ କଡ଼ା ଚେତାବନୀ ଦେଇଛନ୍ତି।