ଗଞ୍ଜାମ ଜିଲାପାଳଙ୍କ ଶେରଗଡ଼ ବ୍ଲକ ଗସ୍ତ: କହିଲେ ଜୁଲାଇ ମାସରେ ସତର୍କ ରହିବାକୁ ପଡ଼ିବ

ଶେରଗଡ଼,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଭୋରରୁ ଶେରଗଡ଼ ବ୍ଲକ ଗସ୍ତରେ ଆସିଛନ୍ତି। ଏହି ସମୟରେ ସେ ବ୍ଲକ ସମ୍ମୁଖରେ ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି। ଜିଲାପାଳ ସରପଞ୍ଚମାନଙ୍କୁ ନିଜ ପଞ୍ଚାୟତର ସମସ୍ତ ୱାର୍ଡରେ ଗୋଟିଏ ଲେଖାଏ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ଏପରି କରି କରୋନା ମୁକାବିଲା କରିବା ସହ ଜୁଲାଇ ମାସରେ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବା ପୂର୍ବରୁ କରୋନା ମୁକିବିଲା ନେଇ ଯୋଜନା କରନ୍ତୁ, ଓ ଆମକୁ ଦିନ ରାତି କାମ କରିବାର ଅଛି। ଏହି ସମୟରେ ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ୱାର୍ଡ କମିଟି ସହଯୋଗରେ ଗ୍ରାମର ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝୁନ୍ତୁ। ଗ୍ରାମର କେଉଁ ମାନେ ବାହାରେ ଅଛନ୍ତି ସେମାନଙ୍କ ତଥ୍ୟ ରଖନ୍ତୁ। ଦୋକାନ ବଜାରରେ ଯେଉଁ ବ୍ୟବସାୟୀମାନେ ସାମାଜିକ ଦୂରତ୍ୱ ମାନୁନାହାନ୍ତି, ମାସ୍କ ପିନ୍ଧି ନାହାନ୍ତି ବା ଗ୍ରାହକମାନଙ୍କୁ ବିନା ମାସ୍କରେ ଜିନିଷ ଦେଉଛନ୍ତି, ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡି.ଦୟାସିନ୍ଧୁ ପରିଡ଼ା, ସିଡିପିଓ ଜୟନ୍ତୀ ପାଟପିଙ୍ଗୁଆ, ଜିଲାପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।