ବାତ୍ଯା ପୂର୍ବରୁ ଆକ୍ସନ୍ ମୋଡରେ ଜିଲାପାଳ, ପୁରୁଷୋତ୍ତମପୁରରେ କଲେ ସ୍ଥିତି ସମୀକ୍ଷା

ପୁରୁଷୋତ୍ତମପୁର,୧୫ା୧୧(ସବିତା ମିଶ୍ର): ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାବାସୀଙ୍କ ମନରେ ପୁଣି ଛନକା ପଶିଛି । ପୂର୍ବ ବନ୍ୟାର କ୍ଷତ ଏଯାଏ ଶୁଖିନଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ଖବର ଭୟକୁ ଦ୍ବିଗୁଣିତ କରଛି । ଏଭଳି ସ୍ଥିତିରେ ଲୋକଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ତତ୍ପର ହୋଇଉଠିଛି ଗଞ୍ଜାମ ଜିଲା ପ୍ରଶାସନ। ଆସନ୍ତା ୧୮ ଓ ୧୯ ତାରିଖରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ରବିବାର ପୁରୁଷୋତ୍ତମପୁରର ବିଭିନ୍ନ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିଛନ୍ତି ଜିଲାପାଳ ଭି. କୀର୍ତ୍ତି ଭାସନ । ବନ୍ୟାରେ ନଷ୍ଟ ହୋଇଥିବା ରାସ୍ତାଘାଟ, ନଦୀଘାଟ ଓ କେନାଲଗୁଡ଼ିକର ଯୁଦ୍ଧକାଳୀନ ମରାମତି କାର୍ଯ୍ୟର ସମୀକ୍ଷା କରିବା ସହ ପାଣ୍ଡିଆ ପଞ୍ଚାୟତ କାର୍ଯ୍ୟାଳୟରେ ବିପନ୍ନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ୫୦ କେଜି ଚାଉଳ ଓ ୨୫୦୦ ଟଙ୍କାର ବଣ୍ଟନ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିଥିଲେ ।

ଜିଲାପାଳ କହିଛନ୍ତିଯେ, ସମ୍ଭାବ୍ୟ ବାତ୍ୟାକୁ ନେଇ ମାଇକ୍‌ ଯୋଗେ ଜନସଚେତନତା ସୃଷ୍ଟି କରାଯାଉଛି । ପୂର୍ବ ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ସେଲଟର ସେଣ୍ଟର ଖୋଲି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ସେଠାରେ ପାନୀୟ ଜଳ, ଶୁଖିଲା ଖାଦ୍ୟ, ଔଷଧ ସହ ରନ୍ଧାଖାଦ୍ୟର ବ୍ୟବସ୍ଥା ରହିବ । ଏଥିସହ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ବିଭିନ୍ନ ଡ୍ୟାମ୍‌ରୁ ଆବଶ୍ୟକ ଅନୁଯାୟୀ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଇଛି ।ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ନ ହୋଇ ପ୍ରଶାସନର ସତର୍କ ସୂଚନା ଓ ନିର୍ଦ୍ଦେଶ ମାନିବାକୁ ଜିଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଏହି ଗସ୍ତ ସମୟରେ ଛତ୍ରପୁର ଉପଜିଲାପାଳ ଡଃ. ଶିବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ବିଡିଓ ଦେବାଶିଷ ସାମଲ, ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ , ଦେବାଶିଷ ମହାପାତ୍ର, ପୂର୍ତ୍ତ ବିଭାଗ କନିଷ୍ଠଯନ୍ତ୍ରୀ ସୋନିଆ ପ୍ରଧାନ ଓ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସାଗର ଦାସଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

Share