ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା: ପୋଲସରା ସହରାଞ୍ଚଳକୁ ୫ ଦିନ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା

ପୋଲସରା, ୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ସହରରେ ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା । ଖାସ କରି ପୋଲସରା ଏନ୍‌ଏସିରେ ୪୦ରୁ ଊଦ୍ଧର୍‌ବ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମଙ୍ଗଳବାର ପୁଣି ନୂଆ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଣୁ ୭ ତାରିଖଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପୋଲସରା ସହର ୫ଦିନ ସଂପୂର୍ଣ୍ଣ ସଟ ଡାଉନ ରହିବ। ଏହି ଶଟ୍‌ଡାଉନ ସମୟରେ ମେଡ଼ିକାଲ ଓ ମେଡ଼ିସିନ ଷ୍ଟୋର ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ । ଏନେଇ ପୋଲସରା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ସମସ୍ତ ଜନସାଧାରଣମାନଙ୍କୁ ସଚେତନ କରାଯିବା ସହ ଜନଗହଳପୂର୍ଣ୍ଣ ସାହିର ପ୍ରବେଶପଥଗୁଡ଼ିକୁ ବାଉଁଶ ବାରିକେଟ ଦ୍ବାରା ସିଲ୍‌ କରାଯାଇଛି। ପୋଲସରା ସହରରେ ଥିବା ବିଭିନ୍ନ ଦୋକାନୀମାନଙ୍କ ଯୋଗୁ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଜାଣି ଏବଂ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ପୋଲସରା ସହରରକୁ ଆସନ୍ତା ପାଞ୍ଚ ଦିନ ପାଇଁ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସମ୍ପୂର୍ଣ୍ଣ ସଟ୍‌ଡାଉନ ଘୋଷଣା କରିଛନ୍ତି । ଏହି ଆଇନକୁ ଅମାନ୍ୟ କଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।