ଜିତିବା ଟେଷ୍ଟ ଡ୍ର’କୁ ନେଇ ଗାଙ୍ଗୁଲି ଉଠାଇଲେ ବଡ଼ ପ୍ରଶ୍ନ: ଗମ୍ଭୀରଙ୍କୁ ଘେରିଲେ

ନୂଆଦିଲ୍ଲୀ,୨୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟ ଡ୍ର’ ହେବା ପରେ ଭାରତୀୟ ଦଳର ରଣନୀତିକୁ ନେଇ ଉଠିଛି ପ୍ରଶ୍ନ। ଭାରତୀୟ ଦଳ ପଞ୍ଚମ ଦିନରେ ନିର୍ଦ୍ଧରିତ ସମୟର ୧୫ ଓଭର ପୂର୍ବରୁ ମ୍ୟାଚ ଡ୍ର’ କରିବାକୁ ରାଜି ହୋଇଥିଲା। ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି। ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ BCCIଙ୍କୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି।

ଗାଙ୍ଗୁଲି କହିଛନ୍ତି, ଏହି ସିରିଜ୍‌ରେ ଭାରତର ପ୍ରଦର୍ଶନ ଭଲ ରହିଛି। ଉଭୟ ଧଳା ବଲ ଓ ଲାଲ ବଲ କ୍ରିକେଟ୍‌ରେ ଦଳର ବ୍ୟାଟିଂ ଶୈଳୀ ପ୍ରଶଂସନୀୟ। କିନ୍ତୁ ଟେଷ୍ଟ କ୍ରିକେଟ୍‌ରେ ବିଜୟ ହାସଲ କରିବା ପାଇଁ ବିଶେଷ କରି ପିଚ ସମତଳ ହୋଇଯିବା ପରେ ଜଣେ ପ୍ରକୃତ ସ୍ପେଶାଲିଷ୍ଟ ସ୍ପିନରଙ୍କ ଆବଶ୍ୟକତା ରହିଛି। ଟେଷ୍ଟ କ୍ରିକେଟରେ ଜଣେ ସ୍ପେଶାଲିଷ୍ଟ ସ୍ପିନରଙ୍କୁ ଖେଳାଇବା ଜରୁରୀ। ୱାଶିଂଟନ ସୁନ୍ଦରଙ୍କୁ ଅଲରାଉଣ୍ଡର ଭାବେ ଖେଳାଯାଇପାରିବ। ତେବେ କୁଲଦୀପ ଯାଦବ ଏବଂ ମାନବ ସୁତାର କେଉଁଠି ବୋଲି BCCIକୁ ପ୍ରଶ୍ନ କରିଛନ୍ତି ଗାଙ୍ଗୁଲି।

ଅନ୍ୟପଟେ ଟେଷ୍ଟ ଡ୍ର’ ହେବା ପରେ ଭାରତୀୟ ଅଧିନାୟକ ଶୁବମନ ଗିଲ ପିଚକୁ ଦାୟୀ କରିଛନ୍ତି। ଗିଲ କହିଛନ୍ତି, ଯଦି ପିଚ୍‌ରୁ ବୋଲରଙ୍କୁ କିଛି ସହାୟତା ମିଳିଥାନ୍ତା, ତେବେ ମ୍ୟାଚ୍‌ର ଫଳାଫଳ ଭିନ୍ନ ହୋଇପାରିଥାନ୍ତା। ଭାରତୀୟ ଦ୍ରୁତ ବୋଲରମାନେ ପ୍ରାୟ ୫୦ ଓଭର ବୋଲିଂ କରିବା ପରେ ଥକି ଯାଇଥିଲେ। ଏହା ସହିତ ଆଗାମୀ ମ୍ୟାଚ ମାତ୍ର ତିନି ଦିନ ପରେ ଥିବାରୁ ଦଳର ବୋଲରମାନଙ୍କୁ ବିଶ୍ରାମ ଦେବା ଜରୁରୀ ଥିଲା। ଆଉ ୫ରୁ ୧୦ ଓଭର ବୋଲିଂ କରିଥିଲେ ମଧ୍ୟ ବିଶେଷ କିଛି ଫରକ ପଡ଼ି ନ ଥାନ୍ତା। ସମତଳ ପିଚ୍‌ରେ ୧୦ଟି ଉଇକେଟ ନେବା ସହଜ ନ ଥିଲା। ତଥାପି ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିବା ସେ କହିଛନ୍ତି।

ଭାରତ ପ୍ରଥମ ଇନିଂସରେ ୭୨୦ ରନ୍‌ର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ୩୬୮ ରନ କରିଥିଲା। ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୨୩୯ ରନ କରିଥିବା ବେଳେ ମ୍ୟାଚ ଡ୍ର’ ହୋଇଥିଲା।

Dharitri – Odisha’s No.1 Odia Daily

 

Share