Categories: ଜାତୀୟ

ତିହାର ଜେଲ୍‌ରୁ ଗ୍ୟାଙ୍ଗଷ୍ଟରଙ୍କ ଧମକ, ଜଣଙ୍କ ବଦଳରେ ୪ଙ୍କୁ ହତ୍ୟା କରିବି…

ତିହାର,୧୧।୮: ପଞ୍ଜାବର ମୋହାଲିରେ ଅକାଳୀ ଦଳ ନେତା ବିକ୍ରମଜିତ୍‌ ଓରଫ୍‌ ବିକିଙ୍କ ହତ୍ୟା ପାଇଁ ପ୍ରତିଶୋଧ ନେବାକୁ ଆଉ ଦୁଇଟି ଫେସବୁକ ପୋଷ୍ଟ ଏବେ ସାମ୍ନାକୁ ଆସିଛି। ଗୋଟିଏ ପୋଷ୍ଟ ତିହାରରେ ରହୁଥିବା ସମ୍ପାତ୍‌ ନେହେରାଙ୍କର ରହିଛି। ସେ ଜଣଙ୍କ ବଦଳରେ ୪ ଜଣଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ଦ୍ୱିତୀୟ ପୋଷ୍ଟ ହେଉଛି କାନାଡାରେ ବସିଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର। ସେ ବିକିଙ୍କ ହତ୍ୟାକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି। ଏହି ଫେସବୁକ ପୋଷ୍ଟ ପଞ୍ଜାବ ପୋଲିସ ଏବଂ ସ୍ପେଶାଲ ସେଲ ହାତରେ ଧରା ପଡିଛି। ଏହାକୁ ନେଇ ଏବେ ଦିଲ୍ଲୀରୁ ପଞ୍ଜାବ ପର୍ଯ୍ୟନ୍ତ ଗ୍ୟାଙ୍ଗ୍‌ଓ୍ବାରର ଆଶଙ୍କା ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ପୋଲସ ପକ୍ଷରୁ ଯାଞ୍ଚ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ପାଟ୍ରୋଲିଂକୁ ବ୍ୟାପକ କରାଯାଇଛି।
ବିକିଙ୍କୁ ଅଗଷ୍ଟ ୭ରେ ମୋହାଲିର ସେକ୍ଟର ୭୧ରେ ଗୁଳିକରି କରାଯାଇଥିଲା। ତାଙ୍କୁ ୧୫ ଥର ଗୁଳିି କରାଯାଇଥିଲା। ହତ୍ୟାକାଣ୍ଡର ପରଦିନ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କ ଫେସବୁକ ପୋଷ୍ଟ ସାମ୍ନାକୁ ଆସିଥିଲା। ସେ ଏହାର ପ୍ରତିଶୋଧ ନେବାକୁ କହିଥିଲେ। ସମ୍ପାତ୍‌ ନେହେରା ରାଜସ୍ଥାନର ଚୁରୁ ନିବାସୀ ଏବଂ ବର୍ତ୍ତମାନ ସେ ଏମ୍‌ସିଓସିଏ ଅଭିଯୋଗରେ ତିହାର ଜେଲରେ ରହିଛନ୍ତି। ସମ୍ପାତ୍‌, ଲରେନ୍ସ ଏବଂ କାଲା ଜାଥେଡି ଗ୍ୟାଙ୍ଗ ସହିତ ଯୋଗାଯୋଗରେ ରହିଥିବା ପୋଲିସ କହିଛି। ମୋହାଲିରେ ବିକିଙ୍କ ହତ୍ୟା ମାମଲା ଦିଲ୍ଲୀର ତିହାର ଜେଲରୁ ପଞ୍ଜାବ ଏବଂ କାନାଡା ପର୍ଯ୍ୟନ୍ତ ଲମ୍ବିଛି। ଏଭଳି ପରିସ୍ଥିତିରେ ବିକିଙ୍କ ହତ୍ୟା ପଛରେ ଗ୍ୟାଙ୍ଗ୍‌ଓ୍ବାର ହେବାର ଆଶଙ୍କା ପ୍ରକାଶ ପାଇଛି।

Share