ଗୋପବନ୍ଧୁ ନଗର, ୨୮ା୯(ଶାନ୍ତନୁ କୁମାର ମଢୁଆଳ)- ଲଘୁଚାପ ପ୍ରଭାବରେ ୫ ଦିନ ଧରି ଲଗାଣ ବର୍ଷା ଯୋଗୁ ମୟୂରଭଞ୍ଜ ଜଲା ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ଗଙ୍ଗାହାର ନଦୀରେ ଚଳିତ ବର୍ଷ ପଞ୍ଚମ ଥର ପାଇଁ ବନ୍ୟା ଆସିଛି।
ସେହିପରି ନାଲୁହା ନଦୀର ଜଳସ୍ତର ଧିରେ ଧିରେ ଫୁଲିବାରେ ଲାଗିଛି। ରବିବାର ଗଙ୍ଗାହାର ନଦୀରେ ବନ୍ୟାଜଳ କୂଳ ଲଂଘିବାରେ ଲାଗିଛି। ଖଡ଼ିକାପଦା କଲଭର୍ଟ ଉପରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବା ଯୋଗୁ ବଡ଼ସାହି-କୁଆମରା ଯୋଗାଯୋଗ ବିଛିନ୍ନ ହୋଇ ପଡିଛି।
ମଧ୍ୟାହ୍ନ ବେଳକୁ ଅଧିକରୁ ଅଧିକ ବନ୍ୟା ଜଳ ଆସିବା ଯୋଗୁ ନଦୀକୂଳିଆ ଲୋକଙ୍କ ପ୍ରତି ବିପଦ ଘନେଇଛି। ଭୋଳପଦା ନିକଟରେ ନାଲୁହା ଓ ଗଙ୍ଗାହାର ନଦୀ ମିଶ୍ରଣ ହେବା ଯୋଗୁ ତଳମୁଣ୍ଡରେ ନଦୀର ରୂପ ଭୟଙ୍କର ହୋଇ ଉଠିଛି।
ଗୋପବନ୍ଧୁ ନଗର ବ୍ଲକର ପଶୁଦା ପଞ୍ଚାୟତ ର କେତେକ ଗ୍ରାମ ଓ କୁଆମରା ପଞ୍ଚାୟତର କଶିବଣୀ ଗ୍ରାମର କେତେକ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେହିପରି ଖଡ଼ିକାପଦା ତଳେ ଥିବା ବଡ଼ସାହି ବ୍ଲକର ପଟିସାରୀ ପଞ୍ଚାୟତର ନଦୀ କୂଳରେ ବସବାସ କରୁଥିବା କେତେକ ପରିବାର ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ନଦୀ କୂଳକୁ ଲାଗି ୨୦ ପ୍ରତିଶତ ଚାଷ ଜମିରେ ବନ୍ୟାପାଣି ମାଡ଼ି ଯାଇଛି। କେତେକ ବିଲରେ ଧାନ ଧୋଡ ଆସି ଯାଇଥିବା ବେଳେ କ୍ଷତି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ସେହିପରି ଦେଓ ନଦୀର ଜାମୁଘାଟଠାରେ ଅସ୍ଥାୟୀ ପୋଲ ଉପରେ ୩ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଉଦଳା-ଗୋପବନ୍ଧୁ ନଗର ବ୍ଲକ ମଧ୍ୟରେ ଯୋଗାଯୋଗ ରବିବାର ସକାଳଠାରୁ ବିଚ୍ଛିିନ୍ନ ହୋଇପଡ଼ିଛି। ଟାଙ୍ଗଣା ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖା ଦେଇଛି।

