ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି। ସୁବର୍ଣ୍ଣପୁର ଜିଲା ସାଗରପାଲି ଗ୍ରାମର ଶିବ ଶଙ୍କର ମେହେର (୭୩) ନିଜ ହାତର ଯାଦୁରେ ପ୍ରସ୍ତୁତ କରିଛନ୍ତି ପାଟ ଶାଢ଼ି। ଏହି ଶାଢ଼ିର ନାମ ରଖାଯାଇଛି ବାଉଁଶରାଣୀ ଶାଢ଼ି। ଶାଢ଼ିର ଆଞ୍ଚଲରେ ବାଉଁଶରାଣୀ ଚିତ୍ରକୁ ଅତ୍ୟନ୍ତ ସୁନ୍ଦର ଭାବେ ବୁଣାଯାଇଛି। ସେହିପରି ଗଙ୍ଗାଧରଙ୍କ ତପସ୍ବିନୀ କାବ୍ୟରୁ ଉର୍ଦ୍ଧୃତ ପଂକ୍ତିଗୁଡ଼ିକ ଏଥିରେ ସ୍ଥାନିତ ହୋଇଛି। ବଡିରେ ତାଳପତ୍ର ପୋଥି ସଦୃଶ ଡିଜାଇନ କରାଯାଇଛି। ଯେଉଁଠି ତପସ୍ବିନୀ କାବ୍ୟରୁ ଉଦ୍ଧୃତ ୫ଟି ପଦ ବ୍ୟବହାର ହୋଇଛି। ଏହା କେବଳ ଏକ ଶାଢ଼ି ନୁହେଁ, ବରଂ ଗଙ୍ଗାଧରଙ୍କ ସାହିତ୍ୟ ଦର୍ଶନକୁ ନେଇ ଗଢ଼ା ଏକ ଜୀବନ୍ତ କଳାକୃତି। ସୂତା ରଙ୍ଗଠାରୁ ଆରମ୍ଭ କରି ଶାଢ଼ି ବୁଣିବା ପଛରେ ରହିଛି ଦୀର୍ଘ ୮ ମାସର ଅକ୍ଲାନ୍ତ ପରିଶ୍ରମ। ପରିବାରର ସମସ୍ତ ସଦସ୍ୟ ଓ ୨ ସହଯୋଗୀ ବୁଣାକାର ପ୍ରତ୍ୟେକ ଅକ୍ଷରକୁ ସୂତାରେ ଜୀବନ୍ତ କରିଛନ୍ତି। ହସ୍ତତନ୍ତର ସୂକ୍ଷ୍ମତା, ବାନ୍ଧକଳାର ନିଖୁଣତା ଓ ଧୈର୍ଯ୍ୟର ଅଦ୍ଭୁତ ସମନ୍ବୟ ଏହି ଶାଢ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଛି। ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ସୁନାମ ରହିଛି। ସେମିତି ଜଣେ ବୁଣାକାର ହେଲେ ଶିବଶଙ୍କର। ସେ ପାଟ ସୂତାରେ ସମ୍ବଲପୁରୀ ବାଉଁଶରାଣୀ ଶାଢ଼ି ପ୍ରସ୍ତୁତ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି,
ଯେଉଁଥିରେ ଛୋଟ ଅକ୍ଷରରେ ଆଞ୍ଚଲ(ମୁହଁ)ରେ ଲେଖାଯାଇଛି ସ୍ବଭାବ କବିଙ୍କ କୃତି। ‘ମାୟାକାର ପରି ଦଣ୍ଡଗୋଟି ଧରି, ସମଦୃଷ୍ଟି ସମଭାବେ, ରାଜତ୍ୱ-ରଜ୍ଜୁରେ ବିଳସି, ରଜ୍ଜୁରେ ନିଜ ଜୀବନ ନ ଭାବେ। ଯଦି ବାଜିକର ରଜୁରେ ପୟର, ଦେଲାରୁ ନ ଯିବ ଚାଲି, ତାଳି ମାରି ଥୋକେ ହସିଦେବେ, ଲୋକେ ବାଦ୍ୟକାର ଦେବ ଗାଳି।’
ସେହିପରି ଶାଢ଼ି ବଡି (ଦେହ) ଭିତରେ ତାଳପତ୍ର ପୋଥି ଡିଜାଇନରେ ଲେଖାଯାଇଛି, ଗଙ୍ଗାଧରଙ୍କ ତପସ୍ବିନୀ କାବ୍ୟରୁ ଉଦ୍ଧୃତ କେତୋଟି ପଦ। ଅତି ସୂକ୍ଷ୍ମ କାରିଗରିରେ ଲୁଗା ବୁଣାଯାଇଛି। ଶିବ ଶଙ୍କର କହିଛନ୍ତି, ସେ ୬୦ ବର୍ଷ ଧରି ଶାଢ଼ି ବୁଣୁଛି। ଏଭଳି ନିଆରା ଶାଢ଼ି ପ୍ରସ୍ତୁତ ପାଇଁ ସେ ୧୦ ବର୍ଷ ପୂର୍ବରୁ ଚିନ୍ତା କରିଥିଲେ। ତେବେ ଉପଯୁକ୍ତ ପରାମର୍ଶ ପାଇ ନ ଥିଲେ। ଜାତୀୟସ୍ତରର ବାନ୍ଧଶିଳ୍ପୀ ଗୁରୁ ପ୍ରଫୁଲ୍ଲ ମେହେର ଏହି ଶାଢ଼ି ପାଇଁ ତାଙ୍କୁ ପ୍ରେରଣା ଦେବା ସହ ବିଷୟବସ୍ତୁ ଓ ପରିକଳ୍ପନା ସହାୟତା ପ୍ରଦାନ କରିଥିଲେ। କେବଳ ଲୁଗା ବୁଣା ସମ୍ପୂର୍ଣ୍ଣ ପାଇଁ ତାଙ୍କୁ ୧୫ ଦିନ ସମୟ ଲାଗିଛି। ଶାଢ଼ିରେ ଚନ୍ଦନ ଓ କଳା ୨ ପ୍ରକାର ରଙ୍ଗ ପ୍ରୟୋଗ କରାଯାଇଛି। ବୁଣାକାର ପରିବାରରେ ଜନ୍ମିତ ଶିବ ଶଙ୍କର ପିଲାଦିନରୁ ନିଜର କୌଳିକ ବୃତ୍ତି ବାନ୍ଧକଳା ପ୍ରତି ଆଗ୍ରହ ଦେଖାଇଥିଲେ। ବୟସର ଅପରାହ୍ନରେ ମଧ୍ୟ ବାନ୍ଧକଳାରେ କିଛି ନୂତନତ୍ୱ ଆଣିବାକୁ ତାଙ୍କର ରୁଚି ରହିଛି।