ଗଙ୍ଗାଧର ଉଠା ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜଳ ବରଗଡ ମୁଖ୍ୟ କେନାଲର ଆର୍‌ଡି ୩୪.୧୦ କି.ମି.ରୁ ଉତ୍ତୋଳନ ପାଇଁ ପ୍ରାବଧାନ କରାଯାଇଥିଲା। ପ୍ରକଳ୍ପ ରିପୋର୍ଟରେ ଥିବା ପ୍ରାବଧାନକୁ କାର୍ଯ୍ୟକାରୀ କରିବାକୁ ହେଲେ ବରଗଡ ମୁଖ୍ୟ କେନାଲ ଆର୍‌ଡି ୩୪.୧୦ କି.ମି. ପର୍ଯ୍ୟନ୍ତ ଲାଇନିଂ କରିବା ସହିତ ତତ୍‌ସଂଲଗ୍ନ ଷ୍ଟ୍ରକ୍ଚରଗୁଡିକର ସମ୍ପ୍ରସାରଣ ଏବଂ ମରାମତି ଆବଶ୍ୟକ। ଏହି କାର୍ଯ୍ୟ କରିବା ପାଇଁ ବରଗଡ ମୁଖ୍ୟ କେନାଲକୁ ଅନୂ୍ୟନ ୨ ବର୍ଷ ବନ୍ଦ କରିବାକୁ ହେବ। ବରଗଡ ମୁଖ୍ୟ କେନାଲ ବନ୍ଦ ହେଲେ ଜଳସେଚନ ବାଧାପ୍ରାପ୍ତ ହେବ ଏବଂ କେନାଲ ଉପରେ ନିର୍ଭର କରୁଥିବା ଚାଷୀମାନେ ଅସନ୍ତୋଷ ହେବେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଏକ ବିକଳ୍ପ ପ୍ରସ୍ତାବ ଯଥା ବରଗଡ ମୁଖ୍ୟ କେନାଲ ହେଡ୍‌ ରେଗୁଲେଟଠାରୁ ସିଧାସଳଖ ୩୪.୧୦ କି.ମି. ପର୍ଯ୍ୟନ୍ତ ପାଇପ ବିଛାଇ ଜଳ ଉତ୍ତୋଳନ କରି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଲାଗି ଆବଶ୍ୟକ ଜଳ ଯୋଗାଇ ଦେବା ପାଇଁ ପରିକଳ୍ପନା କରାଯାଇ ଏହି କାର୍ଯ୍ୟ କରିବାକୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାରେ ୪ ଜଣ ଏଜେନ୍ସିଂ ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରୁ ଏକ କମ୍ପାନୀ ୩୪୦ କୋଟି ୩୬ ଲକ୍ଷ ଟଙ୍କା ବିନିମୟରେ ଏହି କାର୍ଯ୍ୟ କରିବାକୁ ଆବେଦନ କରି ସର୍ବନିମ୍ନ ବିଡ୍‌ର ଭାବେ ପରିଗଣିତ ହୋଇଛନ୍ତି। ରାଜ୍ୟ କ୍ୟାବିନେଟ୍‌ ଏହି ପ୍ରକଳ୍ପର ଟେଣ୍ଡରକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପ କାମ ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଛି।
ଜନସଂଖ୍ୟା ବୃଦ୍ଧି ଯୋଗୁ ଗତ କିଛି ବର୍ଷ ହେବ ଭୂତଳ ଜଳ ବ୍ୟବହାର ବହୁଗୁଣିତ ଭାବେ ବୃଦ୍ଧି ପାଇଛି। ଭୂତଳ ଜଳର ଅନୁସନ୍ଧାନ, ମନିଟରିଂ ଏବଂ ସମନ୍ବିତ ପରିଚାଳନା ପାଇଁ ଉନ୍ନତ ବୈଜ୍ଞାନିକ କୌଶଳର ପ୍ରୟୋଗ ମାଧ୍ୟମରେ ଏହାର ସମାଧାନ କରିବା ପାଇଁ ରାଜ୍ୟ ସରକାର ୨୦୧୮ ନଭେମ୍ବର ୨ ତାରିଖରେ ଭୂତଳ ନିର୍ଦ୍ଦେଶାଳୟ ଅଧୀନରେ ଥିବା ଜିଓଲୋଜିକାଲ କ୍ୟାଡ୍‌ରକୁ ପୁନର୍ଗଠନ କରିଛନ୍ତି।