‘ଗଙ୍ଗା’ ଅପରେଟ୍‌ କରୁଛନ୍ତି ସୁପର ୩୦

କ୍ୱିଭ୍‌,୭।୩: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରୀଛାତ୍ରମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଏହାର ସଫଳ ରୂପାୟନ ପାଇଁ ଭାରତ ସରକାର ବିଭିନ୍ନ ପନ୍ଥା ଆପଣାଉଥିବାବେଳେ ଉଦ୍ଧାର କାର୍ଯ୍ୟରେ ପ୍ରମୁଖ ଅସ୍ତ୍ର ପାଲଟିଛି ଅପରେଶନ ଗଙ୍ଗା;ଯାହା ଜରିଆରେ ବହୁ ଭାରତୀୟଙ୍କ ସ୍ବଦେଶ ଫେରିବା ସମ୍ଭବ ହୋଇଛି। ଅପରେଶନ ଗଙ୍ଗାକୁ ସଫଳ କରିବା ପାଇଁ ବୁଦାପେଷ୍ଟର ଏକ ହୋଟେଲ ପାଲଟିଛି କଣ୍ଟ୍ରୋଲ୍‌ ରୁମ୍‌। ଯେଉଁଥିରେ ଭାରତର ୩୦ ବିଦେଶ ସେବା ଅଫିସରଙ୍କୁ ନେଇ ଅପରେଶନ୍‌ ଗଙ୍ଗା ଅପରେଟ୍‌ ହେଉଛି। ଟେକ୍‌ନିକାଲ ଷ୍ଟାଫ୍‌ଙ୍କୁ ମିଶାଇ ୧୫୦ ଭଲାଣ୍ଟିୟର ସାମିଲ ଅଛନ୍ତି। ଫସିଥିବାଙ୍କ ଯାତାୟାତ, ରହଣି, ଖାଦ୍ୟ ଏବଂ ବିମାନ ଭଳି ୪ ଭାଗରେ ବିଭକ୍ତ କରାଯାଇଛି। ପ୍ରାରମ୍ଭିକ ସମୟରେ ବହୁତ କମ୍‌ ଲୋକ ଏହି ମିଶନରେ ଥିଲେ। କିନ୍ତୁ ଦିନ ବଢିବା ସହ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଅପରେଶନର ଡେପୁଟି ଚିଫ୍‌ ରାଜୀବ ବୋଦଓ୍ବାଡେ କହିଛନ୍ତି। ହୋଟେଲ ରୁମ୍‌ରେ ଏକ କମାଣ୍ଡ ସେଣ୍ଟର ବ୍ୟବସ୍ଥା କରାଯାଇଛି। ଯେଉଁଠାରେ ବିଭିନ୍ନ ସୀମାରୁ ଆସୁଥିବା କମାଣ୍ଡ ଅନୁସାରେ କାର୍ଯ୍ୟ କରାଯାଉଛି। କେତେ ଜଣ ଭାରତୀୟ ସୀମା ପାର୍‌ କରିସାରିଛନ୍ତି ଏବଂ ଆଉ କେତେ ଜଣ ଯାଇପାରିବେ ତାହା ସୀମାରେ ଥିବା ଟିମ୍‌ ଆମକୁ କହିବା ପରେ ଆମେ ସେ ଅନୁସାରେ ଛାତ୍ରୀଛାତ୍ରଙ୍କୁ ଏଠାରୁ ଛାଡୁଛୁ।

Share