ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ ବିଭିନ୍ନ ଆଲୋକମାଳାରେ ଝଲସିବ ପୂଜାମଣ୍ଡପ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁଇଁତୋଳା ପୂଜା ପରିଚାଳନା କମିଟି ପକ୍ଷରୁ ମହାଆଡ଼ମ୍ବରରେ ଗଣେଶ ପୂଜା ପାଳନ କରାଯିବ। ଏଥିପାଇଁ ଶନିବାର ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ପୂଜା ପରିଚାଳନା କମିଟି ସଭାପତି ଜିତେନ୍ଦ୍ର ବାରିକ ସଭାପତିତ୍ୱ କରିଥିଲେ। ଉପଦେଷ୍ଟା ଅଜୟ କୁମାର ବାରିକ, ଲକ୍ଷ୍ମଣ ପଲାଇ, ଜିତେନ୍ଦ୍ର ପଲାଇ, ଉପସଭାପତି ଶ୍ରବଣ ବାରିକ, ସମ୍ପାଦକ ମାନସ ମହାରଣା, କୋଷାଧ୍ୟକ୍ଷ ସାଫଲ୍ୟ ପଲାଇ, ସହକୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ, ବରିଷ୍ଠ ସଦସ୍ୟ କିରଣ ପଲେଇ, ଦିଲୀପ ବାରିକ, ସୁନୀଲ ବିଶ୍ୱାଳ, ମନୋଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣେଶ ପୂଜା ଉପଲକ୍ଷେ ୧୬ ତାରିଖରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ତତ୍‌ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ସ୍କୁଲ ଓ କଲେଜର ଟପ୍ପର ଛାତ୍ରୀଛାତ୍ରୀଙ୍କୁ ପୂଜା ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ଉପଦେଷ୍ଟା ଅଜୟ ବାରିକ କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯିବାକୁ ସର୍ବସମ୍ମତିକ୍ରମେ ଆଲୋଚନା ହୋଇଥିଲା। ଏଥିସହ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ନିୟମାବଳୀକୁ ପାଳନ କରିବା ସହ ଶାନ୍ତିଶୃଙ୍ଖଳାର ସହ କିପରି ପୂଜା ସମ୍ପନ୍ନ ହେବ, ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲା।

Dharitri – Odisha’s No.1 Odia Daily

Share