ଏହି ମନ୍ଦିରରେ ବଢୁଛି ଗଣେଶ ମୂର୍ତ୍ତିଙ୍କ ଆକାର, ଥରେ ଗଲେ ଦୂର ହୁଏ ସମସ୍ତ ଦୁଃଖ

ଭାରତରେ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଥିବା ଗଣେଶଙ୍କ ମୂର୍ତ୍ତି ଧୀରେ ଧୀରେ ବଢୁଛି। ଏପରି ମନ୍ଦିର ରହିଛି ଆନ୍ଧ୍ରପ୍ରଦେଶର ଚିତ୍ତର ଜିଲାର ଇରାଲା ମଣ୍ଡଳ ନାମକ ଏକ ସ୍ଥାନରେ। ଏହି ମନ୍ଦିରକୁ ଜଳ ଦେବତାଙ୍କ ମନ୍ଦିର ମଧ୍ୟ କୁହାଯାଏ। ଲୋକେ କୁହନ୍ତି, ଭଗବାନ ଗଣେଶଙ୍କ ପ୍ରତିମା ଧୀରେ ଧୀରେ ଏଠାରେ ବୃଦ୍ଧି ପାଉଛି।
କୁହାଯାଏ, ବାହୁଦା ନଦୀ ମଧ୍ୟରେ ନିର୍ମିତ ଏହି ମନ୍ଦିରର ପବିତ୍ର ଜଳ ଯୋଗୁ ଅନେକ ରୋଗ ଦୂର ହୋଇଯାଏ। ତିରୁପତି ଯିବା ପୂର୍ବରୁ ଭକ୍ତମାନେ ଏହି ବିନାୟକ ମନ୍ଦିର ପରିଦର୍ଶନ କରି ଭଗବାନ ଗଣେଶଙ୍କ ଦର୍ଶନ ଲାଭ କରନ୍ତି। ବିଶ୍ୱାସ ରହିଛି, ଏଠାକୁ ଆସୁଥିବା ଭକ୍ତଙ୍କ ସମସ୍ତ ଦୁଃଖ ଦୂର ହୁଏ।

ଏଠାରେ ଗଣେଶ ଚତୁର୍ଥୀରୁ ୨୦ ଦିନ ଧରି ବ୍ରହ୍ମୋତ୍ସବ ପାଳନ କରାଯାଏ। ଯଦିଓ ଚଳିତବର୍ଷ କରୋନା ମହାମାରୀ ଯୋଗୁ କଟକଣା ରହିଛି। କିମ୍ବଦନ୍ତୀ କୁହେ, ବ୍ରହ୍ମା ଥରେ ପୃଥିବୀକୁ ଆସିଥିଲେ ଏବଂ ସେହିଦିନଠାରୁ ଏହି ମନ୍ଦିରରେ ୨୦ ଦିନିଆ ବ୍ରହ୍ମୋତ୍ସବ ପାଳନ କରାଯାଏ। ବ୍ରହ୍ମୋତ୍ସବ ସମୟରେ ଗଣେଶଙ୍କ ରଥଯାତ୍ରା ହୋଇଥାଏ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପ୍ରଭୁ ଗଣେଶ ବିଭିନ୍ନ ଗାଡ଼ିରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବାହାରକୁ ଆସିଥାନ୍ତି। ରଥଟି ଅନେକ ରଙ୍ଗୀନ କପଡ଼ାରେ ସାଜସଜ୍ଜା ଯାଇଥାଏ। ଏହି ଗଣେଶ ମୂର୍ତ୍ତିଙ୍କ ପେଟ ଏବଂ ଆଣ୍ଠୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରାୟ ୫୦ ବର୍ଷ ତଳେ ଭଗବାନ ଗଣେଶଙ୍କ ଜଣେ ଭକ୍ତ ଶ୍ରୀ ଲକ୍ଷ୍ମମା ତାଙ୍କୁ ଏକ କବଚ ଦାନ କରିଥିଲେ କିନ୍ତୁ ମୂର୍ତ୍ତିର ଆକାର ବୃଦ୍ଧି ହେତୁ ତାହା ଆଉ ପ୍ରଭୁଙ୍କ ପାଇଁ ପିନ୍ଧାଯାଇ ପାରୁନାହିଁ।

ପୁରାଣ କୁହେ, ଏହି ଅଞ୍ଚଳରେ ତିନି ଭାଇ ରହୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମୂକ, ଆଉ ଜଣେ ବଧିର ଏବଂ ତୃତୀୟ ଜଣକ ଅନ୍ଧ। ତିନିଜଣ ଏକାଠି ଏକ ଛୋଟ ଜମି କିଣିଥିଲେ। ଜମି ଚାଷ ପାଇଁ ଜଳ ଆବଶ୍ୟକ ପଡ଼ିବାରୁ ତିନି ଭାଇ ମିଶି ଜମି ଖୋଳିବା ଆରମ୍ଭ କଲେ। ବହୁ ଖୋଳିବା ପରେ ଏଠାରୁ ପାଣି ବାହାରିଲା। ଟିକିଏ ଅଧିକ ଖୋଳିବା ପରେ ସେମାନେ ଏକ ଗଣେଶଙ୍କ ମୂର୍ତ୍ତି ଦେଖିବାକୁ ପାଇଲେ। ଏହା ଦେଖିବା ପରେ ମୂକ, ବଧିର ଏବଂ ଅନ୍ଧ ତିନି ଭାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ। ଏହି ଗାଁରେ ରହୁଥିବା ଲୋକମାନେ ଏହି ଚମତ୍କାର ଦୃଶ୍ୟ ଦେଖିବା ପାଇଁ ରୁଣ୍ଡ ହୋଇଥିଲେ। ପରେ ସମେସ୍ତ ମିଶି ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କଲେ ଯାହା ଜଳ ମଧ୍ୟରେ ରହିଆସିଛି।