Categories: ଜାତୀୟ

୨ କୋଟିରେ ପେଣ୍ଟିଂ କିଣିବାକୁ ଗାନ୍ଧୀ ପରିବାର ବାଧ୍ୟ କରିଥିଲା

ମୁମ୍ବାଇ/ନୂଆଦିଲ୍ଲୀ,୨୫।୪ : ଖ୍ୟାତନାମା ଚିତ୍ରକର ଏମ୍‌.ଏଫ୍‌. ହୁସେନଙ୍କ ଏକ ପେଣ୍ଟିଂକୁ ୨ କୋଟି ଟଙ୍କାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କଠାରୁ କିଣିବା ପାଇଁ ବାଧ୍ୟ କରାଯାଇଥିବା ୟେସ୍‌ ବ୍ୟାଙ୍କ ସହପ୍ରତିଷ୍ଠାତା ରାଣା କପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ କହିଛନ୍ତି। ଏହି ଅର୍ଥରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନ୍ୟୁୟର୍କରେ ଚିକିତ୍ସା କରାଯାଇଥିଲା ବୋଲି ସ୍ବତନ୍ତ୍ର ଅଦାଲତରେ ଇଡି ଦାଖଲ କରିଥିବା ଚାର୍ଜଶିଟ୍‌ରେ ଉଲ୍ଲେଖ ରହିଛି। ପେଣ୍ଟିଂ କିଣିବାକୁ ମନାକଲେ ଗାନ୍ଧୀ ପରିବାର ସହ ଥିବା ସମ୍ପର୍କରୁ ବଞ୍ଚତ୍ତ ହେବା ସହ ପଦ୍ମ ଭୂଷଣ ସମ୍ମାନ ପାଇପାରିବେ ନାହିଁ ବୋଲି ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ମୁରଲୀ ଦେଓରା କପୁରଙ୍କୁ ଚେତାବନୀ ଦେଇଥିଲେ। ଗାନ୍ଧୀ ପରିବାରକୁ ସହାୟତା କରିବା ଏକ ସୁଯୋଗ ବୋଲି ଅହମଦ ପଟେଲ କହିଥିଲେ। ରାଣା କପୁରଙ୍କ ଏହି ବୟାନ ଇଡି ଦାଖଲ କରିଥିବା ଦ୍ୱିତୀୟ ଅତିରିକ୍ତ ଅଭିଯୋଗ ଫର୍ଦ୍ଦରେ ରହିଛି। ଏହା ଜଣାପଡିବା ପରେ କଂଗ୍ରେସ ଏବଂ ଗାନ୍ଧୀ ପରିବାର ଲୁଟେରା ଏବଂ ସେମାନେ ପଦ୍ମ ଭୂଷଣ ସମ୍ମାନକୁ ବିକ୍ରି କରିଥିବା ଭାଜପା ଅଭିଯୋଗ କରିଛି। କଂଗ୍ରେସର ହାତ ଦୁର୍ନୀତିରେ ଭରି ରହିଥିବା ଭାଜପା ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି। ଅନ୍ୟପକ୍ଷରେ କପୁରଙ୍କ ଅଭିଯୋଗକୁ କଂଗ୍ରେସ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛି। ଜେଲରେ ଥିବା ବ୍ୟକ୍ତି ୨୦୧୦ର କାରବାରକୁ ନେଇ ମୃତ ବ୍ୟକ୍ତିଙ୍କ ବିରୋଧରେ ମନଗଢ଼ା ଅଭିଯୋଗ ଆଣିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଙ୍ଘଭି ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

 

Share