ନୂଆଦିଲ୍ଲୀ,୨୬।୯: ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ସଙ୍କଟ ଚାଲିଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଲୋକ ସଭା ସଦସ୍ୟ ଶଶୀ ଥରୁରଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଅଧ୍ୟକ୍ଷ ନିର୍ବାଚନ ପାଇଁ ଗାନ୍ଧୀ ପରିବାରର ସମର୍ଥନ ରହିଛି ବୋଲି ଥରୁର ଦାବି କରିଛନ୍ତି। କେରଳ ତଥା ଦେଶର ଅନ୍ୟାନ୍ୟ ରାଜ୍ୟର କଂଗ୍ରେସ ଦଳର କର୍ମୀ ତାଙ୍କୁ ସମର୍ଥନ କରୁଛନ୍ତି। ତାଙ୍କୁ ବିରୋଧ କରୁଥିବା ଲୋକଙ୍କ ପାଖରେ ଅଧିକ ଶକ୍ତି ନାହିଁ। ଅଧ୍ୟକ୍ଷ ନିର୍ବାଚନରେ ତାଙ୍କ ସାମ୍ନାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କେହି ନାହାନ୍ତି ବୋଲି ସେ କହିଛନ୍ତି। ନାମାଙ୍କନ ପତ୍ର ଦାଖଲ ଦିନ ମୋ ଶକ୍ତି ପ୍ରଦର୍ଶନ ଦେଖିପାରିବେ।
ଅକ୍ଟୋବର ୧୭ରେ ହେବାକୁ ଥିବା ଅଧ୍ୟକ୍ଷ ନିର୍ବାଚନରେ ଥରୁର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ମୁହାଁମୁହିଁ ହୋଇପାରନ୍ତି। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ପରେ ହିଁ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ। ଗତ ସୋମବାର ଥରୁର ସୋନିଆ ଗାନ୍ଧୀଙ୍କୁ ଭେଟି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।