ଜୁଆ ଆଡ୍ଡା ଉପରେ ଚଢ଼ାଉ: ୬ ଜୁଆଡି ଗିରଫ, ୧୪,୨୦୦ ଟଙ୍କା ଜବତ

ଦିଗପହଣ୍ଡି,୨୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ କାଣ୍ତସର ଗାଁରେ ଦୀର୍ଘଦିନ ଧରି ଚାଲିଥିବା ଜୁଆଆଡ୍ଡା ଉପରେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା। ଏହି ସମୟରେ ୬ ଜୁଆଡିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪ ବାଇକ, ୩ ମୋବାଇଲ ଫୋନ ସମେତ ୧୪,୨୦୦ ଟଙ୍କା ଜବତ କରାଯାଇଛି।
ସୂଚନା ମୁତାବକ, ପୋଲିସ ଟିମ୍‌ ସଦଳବଳେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ। ଅନ୍ଧାର ରାତିର ସୁଯୋଗ ନେଇ କେତେକ ଜୁଆଡି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ଥାନାରେ ଏକ ମାମଲା (ନଂ.୨୪୩/୨୦) ରୁଜୁ କରାଯାଇଥିବା ଆଇଆଇସି ସେଠୀ କହିଛନ୍ତି। ଜୁଆଆଡ୍ଡା ପରିଚାଳନା କରୁଥିବା ଜଣେ ମାଫିଆଙ୍କ ଠାରୁ ବଟି ଆଦାୟ କରି ଦିଗପହଣ୍ଡି ଥାନାର ଜଣେ ହୋମଗାର୍ଡ ଜୁଆ ଖେଳକୁ ସହାୟତା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।