ଜୁଆ ଆଡ୍ଡା ଉପରେ ଚଢାଉ: ୬ ଗିରଫ, ୯୭ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ପାରଳାଖେମୁଣ୍ଡି,୧।୮(ଡି.ଏନ୍‌.ଏ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାମନଗରଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ସୋମବାର ଚଢ଼ାଉ ହୋଇଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ହୋଇଥିବା ଏହି ଅତର୍କିତ ଚଢାଉରେ ୬ଜଣ ଜୁଆଡିଆଙ୍କୁ ଗିରଫ କରାଯାଇଛି। ଏଥିସହ ୯୭ହଜାର ୯୦୦ଟଙ୍କା ଜବତ କରାଯିବା ସହ ମୋବାଇଲ ଫୋନ ଓ ବାଇକ ମଧ୍ୟ ଜବତ କରାଯାଇଛି। ଏନେଇ ପାରଳା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସ୍ଥାନୀୟ ରାମନଗରରେ ଜୁଆ ଖେଳ ଚାଲୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ସୋମବାର ସନ୍ଧ୍ୟା ୫ଟାରେ ପୋଲିସ ଉକ୍ତ ସ୍ଥାନ ଉପରେ ଅତର୍କିତ ଚଢ଼ାଉ କରିଥିଲା। ଏହି ସମୟରେ ଘଟଣାସ୍ଥଳରୁ ଆଉ କେତେକ ବ୍ୟକ୍ତି ଚମ୍ପଟ ମାରିଥିବା ବେଳେ ୬ଜଣଙ୍କୁ ଗିରଫ କରାଯାଇଛି। ୯୭ହଜାର ୯୦୦ଟଙ୍କା ସମେତ ମୋବାଇଲ ଫୋନ ଓ ବାଇକ ଆଦିକୁ ଜବତ କରି ଥାନାରେ ରଖାଯାଇଛି। ଏନେଇ ପାରଳା ଥାନାରେ ୧୫୬/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।