ଭୁବନେଶ୍ୱର, ୩ା୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍)ର ନୂଆ ସିଇଓ ଭାବେ ଗଜାନନ ଏସ୍. କାଲେ ଦାୟିତ୍ୱ ନେଇଛନ୍ତି। ସେ ଟାଟା ପାୱାରର ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ବିଜ୍ନେସ୍ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ ତଦାରଖ କରିବେ। ବିଦ୍ୟୁତ୍ ସେକ୍ଟରରେ ୩୪ ବର୍ଷରୁ ଅଧିକ ଅଭିଜ୍ଞତା ରଖିଥିବା କାଲେ ବିଦ୍ୟୁତ୍ ବିତରଣ ଓ ୟୁଟିଲିଟି ପରିଚାଳନା କ୍ଷେତ୍ରରେ ଗଭୀର ଦକ୍ଷତା ହାସଲ କରିଛନ୍ତି। ସେ ଏନ୍ଆଇଟି ନାଗପୁରରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଏବଂ ଆଇଆଇଏମ୍ ଅହମ୍ମଦାବାଦରୁ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରିଛନ୍ତି। ନିଜ କାର୍ଯ୍ୟକାଳ ମଧ୍ୟରେ କାଲେ ଟାଟା ପାୱାରର ଡିଷ୍ଟ୍ରିବ୍ୟୁଶନ ବିଜ୍ନେସ୍ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଛନ୍ତି। ପରିଚାଳନା ଓ ରକ୍ଷଣାବେକ୍ଷଣ, ଗ୍ରାହକ ସେବା, ବାଣିଜ୍ୟ କାରବାର ,ନେଟ୍ୱର୍କ ଇଞ୍ଜିନିୟରିଂ, ଇନ୍ଭେଣ୍ଟ୍ରି ପରିଚାଳନା ଏବଂ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଭଳି ବିଭିନ୍ନ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ଦାୟିତ୍ୱ ନେବା ପୂର୍ବରୁ ସେ ଟିପିଏନ୍ଓଡିଏଲ୍, ଟିପିଡିଡିଏଲ୍, ଟିପିଏଡିଏଲ୍ ଏବଂ ଟିପିଡବ୍ଲ୍ୟୁଓଡିଏଲ୍ର ସିଇଓ ଭାବେ କାର୍ଯ୍ୟ କରିସାରିଛନ୍ତି। ନିଜ ନିଯୁକ୍ତିକୁ ନେଇ ସେ ଗୌରବାନ୍ବିତ ମନେକରିବା ସହ କର୍ମଚାରୀ ଓ ଅଂଶୀଦାରଙ୍କ ସହଯୋଗରେ ବିଦ୍ୟୁତ୍ ବ୍ୟବସ୍ଥାକୁ ମଜଭୁତ କରିବାକୁ ଅଗ୍ରାଧିକାର ଦେବେ ବୋଲି କାଲେ କହିଛନ୍ତି।