ମେଳଣଡିହ ଗ୍ରାମ ରାସ୍ତାରେ ଘାଇ

ଧାମନଗର,୧୯।୭ (ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷାରେ ବହୁ ରାସ୍ତାଘାଟ ପ୍ରଭାବିତ ହୋଇଛି। ଗତ ଶନିବାର ପ୍ରବଳ ବର୍ଷା ଯୋଗୁ ଭଗବାନପୁର ପଞ୍ଚାୟତର ପଳିକିରି ମେଳଣଡିହ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଏକ ଘାଇ ସୃଷ୍ଟି ହୋଇଛି। ଫଳରେ ମେଳଣଡିହ ଗ୍ରାମର ଶତାଧିକ ପରିବାର ବାହାରକୁ ଆସିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଲଗାଣ ବର୍ଷା ଯୋଗୁ ରେବ ନଦୀରେ ବନ୍ୟା ସ୍ଥିତି ଉପୁଜିଛି। ଅସୁରାଳି ଏବଂ ଗଢ଼ିଆଳି ପଞ୍ଚାୟତକୁ କେତେକାଂଶରେ ପ୍ରଭାବିତ କରିଛି। ବର୍ଷା ପାଣି ଯୋଗୁ କାକୁଡିଗଡ଼ିଆ ନିକଟରେ ଥିବା ଘୋଷରାରେ ପ୍ରବେଶ କରିବା ଦ୍ୱାରା ଉଚ୍ଚପଦା-କାକୁଡିଗଡ଼ିଆ-ଗଢିଆଳି ମଧ୍ୟରେ ଗମନାଗମନ ବାଧାପ୍ରାପ୍ତ ହୋଇଛି।
ମଙ୍ଗଳବାର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ମେଳଣଡିହଠାରେ ହୋଇଥିବା ଘାଇ ଏବଂ ବନ୍ୟା ସ୍ରୋତ ପ୍ରବାହିତ ହେଉଥିବା ଘୋଷରା ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଧାୟକ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ କିପରି ତୁରନ୍ତ ଗମନାଗମନ ବ୍ୟବସ୍ଥା ହୋଇପାରିବ, ସେନେଇ ଗୁରୁତ୍ୱ ଦେଇ କାକୁଡ଼ିଗଡ଼ିଆଠାରେ ପୋଲ ପାଇଁ ଆର୍‌ଡି ବିଭାଗ ସହ ମଧ୍ୟ କଥା ହୋଇଥିଲେ। ବିଧାୟକଙ୍କ ମେଳଣଡିହ ଗସ୍ତ ସମୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହ ତୁରନ୍ତ ମରାମତି ପାଇଁ ଆଲୋଚନା କରିଥିଲେ। ପରେ ବିଧାୟକ ଏ ସମ୍ପର୍କରେ ଜିଲାପାଳ ଓ ଧାମନଗର ବିଡିଓଙ୍କୁ ଅବଗତ କରାଇଥିଲେ। ଆବଶ୍ୟକ ସ୍ଥଳେ ବିଧାୟକଙ୍କ ନିଜସ୍ବ ପାଣ୍ଠିରୁ ଅନୁଦାନରେ ମରାମତି କରାଯିବ ବୋଲି ସେ କହିଥିଲେ। ଡ୍ରେନେଜ ବିଭାଗ ଏସ୍‌ଡିଓ ସନାତନ ମାଝୀ, ବ୍ଲକ କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର ନାୟକ, ବୁଦ୍ଧଦେବ ଜେନା, ପ୍ରଫୁଲ୍ଲ ପାତ୍ର, ଗଢ଼ିଆଳି ସରପଞ୍ଚ ସରୋଜ ସ୍ବାଇଁ, ଶେଷଦେବ ମଳିକ, ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବାହ୍ନରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ସମିତିସଭ୍ୟ ସୁଦୀପ୍ତ ଖଟୁଆ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ।