ଗଡୁନି ବସ୍‌, ଦୁର୍ଦ୍ଦିନରେ ନିର୍ଭରଶୀଳ ପରିବାର

ବାରିପଦା ଅଫିସ,୨୯।୬- କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ସବୁଆଡ଼େ ଯାତ୍ରୀବାହୀ ବସ୍‌ ବନ୍ଦ ହୋଇଛି। ମୟୂରଭଞ୍ଜ ଜିଲାରେ ମଧ୍ୟ ଶହ ଶହ ଯାତ୍ରୀବାହୀ ବସ୍‌ ଛିଡା ହୋଇଛି। ଲକ୍‌ଡାଉନ ପାଇଁ ବସଷ୍ଟାଣ୍ଡ ଜନଶୂନ୍ୟ ହୋଇପଡିଥିବା ବେଳେ ବସ ମାଲିକଙ୍କ ମେରୁଦଣ୍ଡ ଦୋହଲି ଯାଇଛି ା ଗତବର୍ଷରୁ ବସ ଚଳାଚଳ ଉପରେ କଟକଣା ଲଗାଯାଇଥିବାରୁ ଯାନ ଟିକସ, ବୀମା ଓ ବ୍ୟାଙ୍କର ଇଏମଆଇ ଦେବାକୁ ଅର୍ଥର ଘୋର ଅଭାବ ରହିଛି ା ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି ହେଉଛି।
ସୀମାନ୍ତରେ ମୟୂରଭଞ୍ଜ ଜିଲା ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନ ସହିତ କୋଲକାତା, ଟାଟା ଓ ରାଞ୍ଚି ଭଳି ଆନ୍ତଃରାଜ୍ୟ ବସ ଚଳାଚଳ କରୁଥିଲା। ୪୫୦ରୁ ଉର୍ଦ୍ଧ୍ୱ ବସ ଚଳାଚଳ କରୁଥିବା ବେଳେ କରୋନାର ଦ୍ୱିତୀୟ ଲହର ପାଇଁ ମେ’ ୫ତାରିଖରୁ ବସ ଚଳାଚଳ ବନ୍ଦ ରହିଛି। ଜିଲାର ବାରିପଦା ସମେତ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳା ବସଷ୍ଟାଣ୍ଡ ନିଶ୍ଚଳ ପାଲଟିଛି ା ଦିନରାତି ଏହି ସବୁ ବସଷ୍ଟାଣ୍ଡ ଗହଳି ଲାଗି ରହୁଥିବା ବେଳେ ବର୍ତ୍ତମାନ ଜନଶୂନ୍ୟ। ମୟୂରଭଞ୍ଜ ବସ ମାଲିକ ସଂଘ ଅଧୀନରେ ପ୍ରାୟ ୧୨୨ଜଣ ମାଲିକ ଥିବାବେଳେ ଜିଲାରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଘରୋଇ ବସ ମାଲିକ ରହିଛନ୍ତି। ଅଧିକାଂଶ ମାଲିକ ବିଭିନ୍ନ ବ୍ୟାଙ୍କ ଏବଂ ଫାଇନାନ୍ସ ସଂସ୍ଥାରୁ ଋଣ ଆଣି ବସ୍‌ ବ୍ୟବସାୟ କରୁଛନ୍ତି ା ଲକ ଡାଉନ ପାଇଁ ୨ମାସ ଧରି ସରକାରଙ୍କୁ ମୋଟର ଯାନ ଟିକସ, ବୀମା ଏବଂ ଇଏମଆଇ ଦେବାକୁ ପଡୁଛି ା ସେହିପରି କର୍ମଚାରୀଙ୍କ ଦରମା ପ୍ରଦାନ କରିବାରେ ଅର୍ଥାଭାବ ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩ମାସ ପାଇଁ ପରିବହନ ଟିକସ ସହିତ ଇଏମଆଇ ଛାଡ ଓ ବୀମାରାଶିକୁ ମଧ୍ୟ ୩ମାସ ବୃଦ୍ଧି କରିବା ପାଇଁ ମୟୂରଭଞ୍ଜ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ସୁନୀଲ କୁମାର ଦାଶ ନିବେଦନ କରିଛନ୍ତି ା ଅନ୍ୟ ପକ୍ଷରେ ବସରେ କାର୍ଯ୍ୟକରୁଥିବା କର୍ମଚାରୀ ଓ ବସଷ୍ଟାଣ୍ଡ ଉପରେ ନିର୍ଭର କରୁଥିବା ଉଠାଦୋକାନୀ, ଟିକେଟ ବୁକିଂ କାଉଣ୍ଟର କର୍ମଚାରୀ, ହକର, ବୁଲାବିକାଳି ସଭିଏଁ ହାତଗୋଡ଼ ମାଡ଼ି ଘରେ ବସିଛନ୍ତି ା ସେହିପରି ବସଯାତ୍ରୀଙ୍କ ପାଇଁ ବସଷ୍ଟାଣ୍ଡ ନିକଟ ଟ୍ୟାକ୍ସି ଓ ଅଟୋଚାଳକଙ୍କ ଅବସ୍ଥା ମଧ୍ୟ ନ କହିଲେ ଭଲ। ଏକ ବର୍ଷରୁ ଉର୍ଦ୍ଧ୍ୱ କରୋନା ମହାମାରୀ ପାଇଁ ପାଖାପାଖି ୨୦ହଜାର ଲୋକ ନିଜର ଜୀବିକା ହରାଇଛନ୍ତି ା ସରକାର ଏଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ନିର୍ଭରଶୀଳ ପରିବାର ପୁଣି ରୋଜଗାରକ୍ଷମ ହୋଇପାରନ୍ତେ ବୋଲି ବସ ମାଲିକ ପ୍ରକାଶ ଚନ୍ଦ୍ର ବେହେରା, ଅଜିତ ମହାନ୍ତି ପ୍ରମୁଖ ଦାବି କରିଛନ୍ତି ା