Categories: ଖେଳ

ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳରେ ଗାବ୍ରିଏଲ

ମାଞ୍ଚେଷ୍ଟର,୩।୭ (ପି.ଟି.): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଭିଜ୍ଞ ଦ୍ରୁତ ବୋଲର ଶାନନ ଗାବ୍ରିଏଲଙ୍କୁ ଦଳରେ ସାମିଲ କରିଛି ଓ୍ବେଷ୍ଟଇଣ୍ଡିଜ। ଗୋଇଠିରେ ଅସ୍ତ୍ରୋପଚାର କରାଇଥିବା ଗାବ୍ରିଏଲ୍‌ ଏବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି। ଆସନ୍ତା ୮ ତାରିଖରୁ ଏହି ଟେଷ୍ଟ ସିରିଜ ଆରମ୍ଭ ହେବ। ଇଂଲଣ୍ଡରେ ଓ୍ବେଷ୍ଟଇଣ୍ଡିଜ ପହଞ୍ଚିବା ପରେ ଗାବ୍ରିଏଲଙ୍କୁ ରିଜର୍ଭ ଖେଳାଳି ଭାବେ ସାମିଲ କରାଯାଇଥିଲା। ତେବେ ସେ ଓଲ୍ଡ ଟ୍ରାଫର୍ଡରେ ଅନୁଷ୍ଠିତ ଦୁଇଟି ଇଣ୍ଟର- ସ୍କାଡ୍‌ ଓ୍ବାର୍ମ- ଅପ୍‌ ମ୍ୟାଚ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସେ ବର୍ତ୍ତମାନ ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲିଂ ବିଭାଗର ଅଂଶ ବିଶେଷ ହୋଇଛନ୍ତି ବୋଲି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ଚୟନକର୍ତ୍ତା ରୋଜର ହାର୍ପର କହିଛନ୍ତି। ତାଙ୍କ ସହିତ ଅଧିନାୟକ ଜାଶନ ହୋଲ୍ଡର, କେମର ରୋଚ, ଚେମର ହୋଲ୍ଡର, ଅଲଜାରୀ ଜୋଶେଫ୍‌ ଓ ରେମନ ରେଇଫର ଦ୍ରୁତ ବୋଲିଂରେ ଦାୟିତ୍ୱ ସମ୍ଭାଳିବେ।
୩ଟି ଇନିଂଶ୍‌ରେ ବୋଲିଂ କରି ଗାବ୍ରିଏଲ ୧୨୨ ରନ ବ୍ୟୟ କରି ୮ ଉଇକେଟ ହାସଲ କରିଥିଲେ। ୨୦୧୨ ମେ’ରେ ଲଡର୍‌ସ ଗ୍ରାଉଣ୍ଡରେ ଗାବ୍ରିଲେ ଟେଷ୍ଟ ପଦାର୍ପଣ କରିଥିଲେ। ସେ ଏପର୍ଯ୍ୟନ୍ତ ୪୫ଟି ଟେଷ୍ଟ ଖେଳି ୧୩୩ ଉଇକେଟ ହାସଲ କରିଛନ୍ତି। ଦୁଇବର୍ଷ ତଳେ ସେ ସେଣ୍ଟ ଲୁସିଆରେ ଶ୍ରୀଲଙ୍କା ବିପକ୍ଷ ଘରୋଇ ଟେଷ୍ଟରେ ୬୨ ରନରେ ୮ ଉଇକେଟ ଅକ୍ତିଆର କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ସେ ୧୨୧ ରନ ବ୍ୟୟ କରି ମୋଟ ୧୩ ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମ ଟେଷ୍ଟ ବୁଧବାରଠାରୁ ଆଗିଆସ ବାଉଲ୍‌ରେ ଆରମ୍ଭ ହେବ। କରୋନା ଭାଇରସ ସଂକ୍ରମଣ କାରଣରୁ କିଛି ମାସ କ୍ରିକେଟକୁ ସସ୍‌ପେଣ୍ଡ କରାଯାଇଥିଲା। ତେବେ ଏହି ସିରିଜ ମାଧ୍ୟରେ କ୍ରିକେଟ ପୁଣି ପ୍ରତ୍ୟାବର୍ତ୍ତନ ପଥରେ ରହିଛି।
ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ: ଜାସନ ହୋଲ୍ଡର (ଅଧିନାୟକ), ଜେର୍ମାଇନ୍‌ ବ୍ଲାକ୍‌ଉଡ୍‌, ଏନ୍‌କ୍ରୁମା ବୋନର, କ୍ରେଗ ବ୍ରଥାଓ୍ବେଟ୍‌, ଶମରା ବ୍ରୁକ୍ସ, ଜନ କ୍ୟାମ୍ପବେଲ, ରଷ୍ଟନ ଚେଜ, ରାଖିମ କର୍ନଓ୍ବାଲ, ଶେନ୍‌ ଡୋରିଚ୍‌, ଶାନନ ଗାବ୍ରିଏଲ୍‌, ଚେମର ହୋଲ୍ଡର, ସାଇ ହୋପ୍‌, ଅଲ୍‌ଜାରି ଜୋଶେଫ୍‌, ରେମନ ରେଇଫର ଓ କେମର ରୋଚ୍‌।

Share