ଜି-୨୦ ଶିଖର ସମ୍ମିଳନୀରେ କାନାଡାର ପ୍ରଧାନମନ୍ତ୍ରୀ, ଚାଇନା ରାଷ୍ଟ୍ରପତିଙ୍କ ମଧ୍ୟରେ କଥା କଟାକଟି

ବାଲି,୧୬।୧୧: ଜି-୨୦ ଶିଖର ସମ୍ମିଳନୀରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି। ୧୫ ନଭେମ୍ବରରେ ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଭିଡିଓ ଗଣମାଧ୍ୟମରେ ଭାଇରାଲ ହୋଇଛି। ଭିଡିଓରେ ଜିନପିଙ୍ଗ ଟ୍ରୁଡୋଙ୍କ ଉପରେ ରାଗୁଥିବା ଦେଖାଯାଇଛି। କାନାଡା ଗଣମାଧ୍ୟମ ଅନୁଯାୟୀ, ନଭେମ୍ବର ୧୫ରେ ଜି-୨୦ ଅଧିେବେଶରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏହି ସମୟରେ ଟ୍ରୁଡୋ ଜିନପିଙ୍ଗଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ ଚାଇନା କାନାଡା ରାଜନୀତିରେ ହସ୍ତକ୍ଷେପ ଅଭିଯୋଗ ଗୁରୁତର ଏବଂ ଏହା ହେବା ଉଚିତ ନୁହେଁ। ଏଥିରେ ରାଗିଯାଇ ଜିନପିଙ୍ଗ କହିଥିଲେ, କଥା କହିବାର ଗୋଟିଏ ଶୈଳି ଅଛି, ଏମିତି ହଠାତ୍‌ କହିବା ଠିକ୍‌ ନୁହେଁ। ସବୁକଥା ମିଡିଆ ଆଗରେ କହିବା ଉଚିତ୍‌ ନୁହେଁ। ଏହାର ଜବାବରେ ଟ୍ରୁଡୋ କହିଛନ୍ତି, ଆମେ ଚାଇନା ସହିତ ଖୋଲାଖୋଲି ଭାବରେ କହିବାକୁ ଚାହୁଁଛୁ। ଏହି ଉତ୍ତର ଶୁଣି ଜିନପିଙ୍ଗ କହିଥିଲେ , ପ୍ରଥମେ ତୁମେ କଥାବାର୍ତ୍ତା କରିବା ପାଇଁ ଏକ ପରିବେଶ ସୃଷ୍ଟି କର।
ସୂଚନାଯୋଗ୍ୟ,କାନାଡାରେ ୨୦୧୯ ନିର୍ବାଚନରେ ଚାଇନା ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଥିଲା। ତିନି ବର୍ଷ ପରେ ଜି-୨୦ ପ୍ଲାଟଫର୍ମରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା।

 

 

Share