Categories: ଜାତୀୟ

ଜି୨୦ ସମିଟ୍‌ ରଣନୀତି: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୫।୧୨: ୨୦୨୩ ବର୍ଷ ଲାଗି ଭାରତ ଜି୨୦ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି। ଆସନ୍ତା ବର୍ଷ ହେବାକୁ ଥିବା ଜି୨୦ ସମିଟ୍‌ ଲାଗି ରଣନୀତି ପ୍ରସ୍ତୁତି ନିମନ୍ତେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ସିକିମ୍‌ ମୁଖ୍ୟମନ୍ତ୍ରୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମେତ ବିଭିନ୍ନ ଦଳର ନେତା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା, ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା, ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁ ପ୍ରମୁଖ। ସେହିପରି ସରକାରଙ୍କ ପକ୍ଷରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌, ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଉପସ୍ଥିତ ଥିଲେ। ଚଳିତ ମାସରୁ ଭାରତ ଆନୁଷ୍ଠାନିକ ଭାବେ ଜି୨୦ର ଅଧ୍ୟକ୍ଷତା ଗ୍ରହଣ କରିଥିବା ବେଳେ ବର୍ଷକ ମଧ୍ୟରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରସ୍ତୁତି ବୈଠକ କରିବାକୁ ଯୋଜନା ରଖିଛି। ଆସନ୍ତାବର୍ଷ ସେପ୍ଟେମ୍ବର ୯ ଓ ୧୦ରେ ନୂଆଦିଲ୍ଲୀରେ ଜି୨୦ ନେତାମାନଙ୍କ ସମ୍ମିଟ୍‌ ଅନୁଷ୍ଠିତ ହେବ।

Share