ଜି୨୦ ସମିଟ୍‌ ଘୋଷଣାନାମା: ଜରୁରୀ ଭୂମିକା ନେଇଥିଲା ଭାରତ

ଓ୍ବାଶିଂଟନ,୨୦।୧୧: ଜି୨୦ ସମିଟ୍‌ ଘୋଷଣାନାମା ଆଲୋଚନାରେ ଭାରତ ଜରୁରୀ ଭୂମିକା ନିଭାଇଥିଲା ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କେରିନ୍‌ ଜିନ୍‌-ପିଏରେ ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି। ଚଳିତ ବର୍ଷ ଫେବୃୟାରୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଲାଗିରହିଥିବାବେଳେ ଆଜିର ଯୁଗ କଦାପି ଯୁଦ୍ଧର ଯୁଗ ନୁହେଁ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଦେଇଥିଲେ। ଗତ ସପ୍ତାହରେ ଇଣ୍ଡୋନେସିଆର ବାଲିଠାରେ ଶେଷ ହୋଇଥିବା ଦୁଇଦିନିଆ ଜି୨୦ ସମିଟ୍‌ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କ ସମେତ ଅନ୍ୟ ସଦସ୍ୟ ରାଷ୍ଟ୍ରର ନେତାମାନେ ଯୋଗଦେଇଥିଲେ। ୟୁକ୍ରେନ୍‌ ଯୁଦ୍ଧ ସେଥିର ପ୍ରମୁଖ ପ୍ରସଙ୍ଗ ଭାବେ ସ୍ଥାନ ପାଇଥିଲା।

ନେତୃବୃନ୍ଦଙ୍କ ସମ୍ମିଳନୀ ସଫଳତାର ସହ ଶେଷ ହୋଇଥିବା କେରିନ୍‌ ଖବରଦାତାମାନଙ୍କୁ କହିଛନ୍ତି। ଖାଦ୍ୟ ଓ ଶକ୍ତି ପ୍ରସଙ୍ଗ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ ଓ ଆମେରିକା ଏକାଠି କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନର ଖାଦ୍ୟ ଓ ଶକ୍ତି ସୁରକ୍ଷା ଚ୍ୟାଲେଞ୍ଜକୁ ମୁକାବିଲା କରାଯାଇଛି ଏବଂ ମାନ୍ଦାବସ୍ଥାମୁକ୍ତ ବିଶ୍ୱ ଅର୍ଥନୀତି ଗଠନ ଲାଗି ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି। ଆସନ୍ତା ବର୍ଷ ଭାରତର ଜି୨୦ ଅଧ୍ୟକ୍ଷତାକୁ ସମର୍ଥନ ଯୋଗାଇଦିଆଯିବ ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ ପ୍ରତିଶ୍ରୁତି ଦେଇଛନ୍ତି।

Share