Categories: ଜାତୀୟ

ଜି୨୦ ଲୋଗୋରେ ରହୁ ଭିନ୍ନ ପ୍ରତୀକ

ନୂଆଦିଲ୍ଲୀ,୬।୧୨: ୨୦୨୩ ବର୍ଷ ଲାଗି ଭାରତ ଜି୨୦ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି। ଆସନ୍ତା ବର୍ଷ ହେବାକୁ ଥିବା ଜି୨୦ ସମିଟ୍‌ ଲାଗି ରଣନୀତି ପ୍ରସ୍ତୁତି ନିମନ୍ତେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସିକିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ୍‌ ସିଂ ଟାମଙ୍ଗ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମେତ ବିଭିନ୍ନ ଦଳର ନେତା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡ଼ା, ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା, ତେଲୁଗୁ ଦେଶମ ପାର୍ଟ ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁ ପ୍ରମୁଖ। ସେହିପରି ସରକାରଙ୍କ ପକ୍ଷରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌, ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଉପସ୍ଥିତ ଥିଲେ। ଜି୨୦ ଲୋଗୋରେ ଥିବା ପଦ୍ମ ଭାଜପାର ନିର୍ବାଚନୀ ସଙ୍କେତ ହୋଇଥିବାରୁ ଏହାକୁ ନେଇ ମମତା ଆପତ୍ତି ଉଠାଇଛନ୍ତି। ପଦ୍ମକୁ ହଟାଇ ଅନ୍ୟ କୌଣସି ଜାତୀୟ ପ୍ରତୀକ ଲୋଗେରେ ରଖିବାକୁ ସେ ଦାବି କରିଛନ୍ତି। ପ୍ରକାଶଯେ, ଆସନ୍ତାବର୍ଷ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଜି୨୦ ନେତାମାନଙ୍କ ସମ୍ମିଟ୍‌ ଅନୁଷ୍ଠିତ ହେବ।

Share