ଜି ଉଦୟଗିରି ସହର ଶଟ୍‌ଡାଉନ୍‌: କଚେରୀ ସାହି, ବସ୍‌ଷ୍ଟାଣ୍ଡ ସାହି ହେଲା କଣ୍ଟେନମେଣ୍ଟ ଜୋନ୍‌

ଜି ଉଦୟଗିରି, ୨୫।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲାପାଳଙ୍କ ଆଦେଶ କ୍ରମେ ଜିଲାକୁ ୪ ଦିନିଆ ଶଟ୍‌ଡାଉନ କରାଯାଇଛି। ଜି ଉଦୟଗିରି ସହର ମଧ୍ୟ ଶଟ୍‌ଡାଉନ ଯୋଗୁ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ସହର ବନ୍ଦ ରହିବ । ଏହି ୪ ଦିନ ସ୍ବାସ୍ଥ୍ୟ ଯାଞ୍ଚକାରୀ ଦଳ ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବେ। ସେହିପରି ୧୩ଟି ୱାର୍ଡ ପାଇଁ ଜଣେ ଜଣେ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ନିଯୁକ୍ତି ପାଇଥିବା ୱାର୍ଡରେ ଯଦି କେହି ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି ସେମାନେ ତୁରନ୍ତ ଏନ୍‌ଏସି ଓ ହସ୍ପିଟାଲକୁ ଜଣାଇବେ ବୋଲି ଜି ଉଦୟଗିରି ଏନଏସି ଅଧିକାରୀ ସଂଜୀବ କୁମାର ମହାପାତ୍ର କହିଛନ୍ତି। ସେପରି ୯ ନମ୍ବର ୱାର୍ଡ ରେ ଜଣେ କରୋନା ଅକ୍ରାନ୍ତ ଚିହ୍ନଟ ହେବା ପରେ ସେଇ ୱାର୍ଡର କଚେରୀ ସାହି ଓ ବସ୍‌ଷ୍ଟାଣ୍ଡ ସାହିକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି। ସାହିରେ ସାନିଟାଇଜ କରାଯିବା ସହ ଘର ଘର ବୁଲି ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଥିବା ବିଡିଓ ତଥା ଏନଏସିର ପ୍ରଶାସକ ଶାନ୍ତନୁ କୁମାର ନାୟକ କହିଛନ୍ତି ।