ଅନ୍ଧାରରେ ୩ ନାବାଳକଙ୍କ ଭବିଷ୍ୟତ

ଖଡ଼ିଆଳ,୬।୧୨(ଡି.ଏନ.ଏ.): ମା’ ମାନସିକ ରୋଗୀ। ୩ ନାବାଳକ ପୁଅଙ୍କ ଭବିଷ୍ୟତ କିପରି ଗଠନ କରିବେ ସେ ନେଇ ଚିନ୍ତାରେ ବାପା। ଏପରି ଏକ ଦୁଃଖଦ ଘଟଣାରେ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୂଳିଆଁସିକୁଆଁ ଗ୍ରାମରେ। ଗ୍ରାମର ହିରାଧର ମେହେରଙ୍କ ସ୍ତ୍ରୀ ଜ୍ୟୋତି ମେହେର ଓ ତାଙ୍କ ୩ ନାବାଳକ ପୁଅ ସିଂହେଶ୍ୱର (୮), ସୁଧନ (୬), ସୁଧର୍ମା (୪)ଙ୍କୁ ନେଇ ପରିବାର। ହିରାଧର କୁଳିମଜୁରି କରି ଚଳୁଥିଲେ। ଗତ ୪ ତଳେ ସ୍ତ୍ରୀ ଜ୍ୟୋତି ମାନସିକ ରୋଗରେ ଶିକାର େଲେ। ସ୍ତ୍ରୀ ମାନସିକ ରୋଗୀ ହୋଇଥିବାରୁ ହିରାଧର ୩ ନାବାଳକ ପୁଅଙ୍କୁ ଛାଡି କୌଣସି କାର୍ଯ୍ୟ କରି ପାରୁନାହାନ୍ତି। ୩ ପୁଅ ଓ ମାନସିକ ସ୍ତ୍ରୀଙ୍କୁ ଯତ୍ନ ନେଉଥିବା ବେଳେ କୌଣସି କାର୍ଯ୍ୟ କରିପାରୁନାହାନ୍ତି। ଭଙ୍ଗା ମାଟି ଘରେ ଜରି ଢାଙ୍କି ଚାଳ, ଛପରରେ ପରିବାର ରହୁଛନ୍ତି। ହିରାଧର ଆବାସ ଯୋଜନାରେ ସାମିଲ କରିବା ପାଇଁ ପଞ୍ଚାୟତଠାରୁ ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଛନ୍ତି। ଆବାସ ଯୋଜନାରେ କିମ୍ବା ବିଜୁ ପକ୍କା ଘର ଯୋଜନା ସାମିଲ ହୋଇ ପାରିନାହାନ୍ତି। ସ୍ତ୍ରୀଙ୍କ ଚିକିତ୍ସା କରିବେ ନା ୩ ନାବାଳକ ପୁଅକୁ ନେଇ ପରିବାର ପୋଷିବେ ସେ ନେଇ ଚିନ୍ତାରେ ହିରାଧର। ୩ ପୁଅକୁ ଆଶ୍ରମ ବିଦ୍ୟାଳୟରେ ଛାଡି ଭବିଷ୍ୟତ କିପରି ଉଜ୍ଜଳ ହୋଇପାରିବ ସେ ନେଇ ଜିଲା ପ୍ରଶାସନକୁ ଗୁହାରି କରୁଛନ୍ତି। ଜିଲାପାଳ ହେମାକାନ୍ତ ସାଏଙ୍କୁ ସାକ୍ଷାତ କରି ନିଜ ସମସ୍ୟା ବିଷୟରେ ଅବଗତ କରିଥିଲେ। ହିରାଧରଙ୍କ ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିବାରୁ ହୀରାଧରଙ୍କ ସମସ୍ୟା ଉପରେ ଆମେ ଆଗରୁ ଅବଗତ ହୋଇଛୁ ଏବଂ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛୁ ଏବଂ ତାର ସମାଧାନ କିପରି ଅତି ଶୀଘ୍ର କରାଯିବ ସେ ନେଇ ପଦକ୍ଷେପ ନେବୁ ବୋଲି ପ୍ରକାଶ କରିଥିଲେ। ଏ ନେଇ ବିଡିଓ ନାରାୟଣ ସାହୁଙ୍କୁ ପଚାରିବାରୁ ଏହି ବିଷୟରେ ତଦନ୍ତ କରି ୩ ପୁଅ କିପରି ପାଠ ପଢିବେ ଓ ସେମାନେ କିପରି ଠିକ ଭାବରେ ରହିବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।