Categories: ଖେଳ

‘ଭାରତରେ ଭଲିବଲର ଭବିଷ୍ୟତ ଉଜ୍ଜ୍ୱଳ’

ଭୁବନେଶ୍ୱର,୨୪ା୯(କ୍ରୀଡ଼ା ପ୍ରତିନିଧି): ଭାରତରେ ଭଲିବଲର ବିକାଶ ଆଶା ଉଜ୍ଜ୍ୱଳ ବୋଲି ଭାରତୀୟ ଭଲିବଲ୍‌ ସଂଘର ସଭାପତି ଅଚ୍ୟୁତ ସାମନ୍ତ କହିଛନ୍ତି। ନେଦରଲାଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଭଲବଲ୍‌ ସଂଘ (ଏଫ୍‌ଆଇଭିବି)ର ୩୮ତମ ବିଶ୍ୱ କଂଗ୍ରେସରେ ଯୋଗଦେଇ ଭାରତ ବିଶେଷ କରି ଓଡ଼ିଶାରେ କିଭଳି ଭଲିବଲ୍‌ ଅଧିକ ପ୍ରସାର ଲାଭ କରିବ ସେ ନେଇ ଅଚ୍ୟୁତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ସଦସ୍ୟ ରାଷ୍ଟ୍ରରୁ ଆସିଥିବା ୨୨୨ ଭଲିବଲ୍‌ ସଂଘ ଓ କନ୍‌ଫେଡେରେଶନ ସଭାପତି ଯୋଗଦେଇଛନ୍ତି। ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କଂଗ୍ରେସରେ ଭଲିବଲର ବିକାଶ ନେଇ ବ୍ୟାପକ ଆଲୋଚନା ହେବ। ଏହି ଅବସରରେ ଅଚ୍ୟୁତ ଏଫ୍‌ଆଇଭିବି ସହଯୋଗରେ କିଟ୍‌ ଓ କିସ୍‌ରେ ଏକ ଜାତୀୟ ଭଲିବଲ୍‌ ଆକାଡେମୀ ଓ କିସ୍କୁ ଏଫ୍‌ଆଇଭିବି ଭଲିବଲ୍‌ ଫର ସ୍କୁଲରେ ଭାରତୀୟ ନୋଡାଲ୍‌ ସେଣ୍ଟର କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଏହା ସହ ଏଫଆଇଭିବିର ପରବର୍ତ୍ତୀ ବିଶ୍ୱ କଂଗ୍ରେସ ଭୁବନେଶ୍ୱରରେ ଆୟୋଜନ ପାଇଁ ଅଚ୍ୟୁତ ଏଫଆଇଭିବିକୁ ଅନୁରୋଧ କରିଥିଲେ। ଏହା ବ୍ୟତୀତ ଭଲିବଲ୍‌ କୋଚ ଓ ଟେକ୍ନିକାଲ୍‌ ଅଫିସରଙ୍କୁ ରିଫ୍ରେସର କୋର୍ସ ପ୍ରଦାନ କରିବା ପାଇଁ ଭୁବନେଶ୍ୱରରେ ଏଫ୍‌ଆଇଭିବିର ଏକ ଆଞ୍ଚଳିକ ବିକାଶ କେନ୍ଦ୍ର ସ୍ଥାପନା ନିମନ୍ତେ ସେ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ଅଚ୍ୟୁତ ଅନ୍ତର୍ଜାତୀୟ ଭଲିବଲ୍‌ ସଂଘର ସଭାପତି ଆରି ଗ୍ରାକା, ଏଫ୍‌ଆଇଭିବିର ଜେନେରାଲ୍‌ ଡାଇରେକ୍ଟର ଫାବିଓ ଆଜେଭେଦୋଙ୍କ ସମେତ ବିଶ୍ୱର ବିଭିନ୍ନ ସଦସ୍ୟ ରାଷ୍ଟ୍ରରୁ ଆସିଥିବା ୨୨୨ ଭଲିବଲ୍‌ ସଂଘ ଓ ଫେଡେରେସନର ସଭାପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

Share