ବିଶ୍ୱାସରେ ଅନ୍ତିମ ସଂସ୍କାର

ମୃତ୍ୟୁ ପର ଜୀବନକୁ ନେଇ ବିଭିନ୍ନ ସଂସ୍କୃତିରେ ଭିନ୍ନ ଭିନ୍ନ ବିଶ୍ୱାସ ରହିଛି ଏବଂ ସେଥିପାଇଁ ସେମାନଙ୍କ ଅନ୍ତିମ ସଂସ୍କାରରେ ଭିନ୍ନତା ଦେଖାଯାଉଛି। ବିଶେଷକରି ଥରକ ପାଇଁ କେବଳ ଜନ୍ମନିଏ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ମୃତଦେହକୁ ସମାଧି ଦିଅନ୍ତି ଓ ସେଠାରେ ସମାଧି ପଥର ସ୍ଥାପନ କରିଥାନ୍ତି। ସେହିଭଳି ଯେଉଁମାନେ ପୁନର୍ଜନ୍ମରେ ବିଶ୍ୱାସକରନ୍ତି, ସେମାନେ ମୃତଦେହକୁ ଦାହକରି, ପାଣିରେ ଭସାଇ ପ୍ରକୃତି ସହ ମିଶାଇ ଦେଇଥାନ୍ତି କିମ୍ବା ହିଂସ୍ର ଜୀବଙ୍କ ମୁହଁରେ ଦେଇଦିଅନ୍ତି। ଆସାମରେ ଅହୋମ୍‌ ବଂଶର ରାଜାମାନେ ତ୍ରୟୋଦଶ ଶତାବ୍ଦୀରେ ଦକ୍ଷିଣ ଏସିଆ ବାଟ ଦେଇ ଚାଇନାରୁ ଭାରତକୁ ଆସିଥିଲେ। ସେମାନଙ୍କ ମୃତ ଶରୀରକୁ ସ୍ତୂପ ମଧ୍ୟରେ ପୋତିଦେଉଥିଲେ, ଯାହାକୁ କୁହାଯାଏ ମୋଇଡାମ୍‌। ବେଳେବେଳେ ରାଜାଙ୍କ ସହ ଯାଉଥିବା ସେବକ କିମ୍ବା ଅନ୍ୟ ଲୋକଙ୍କୁ ମଧ୍ୟ ପୋତିଦିଆଯାଉଥିଲା। ସେମାନେ ହିନ୍ଦୁ ହେବା ପରେ ଏହା ନ କରି ଶବଦାହ ଆରମ୍ଭ କରିଥିଲେ। ହିନ୍ଦୁ ରୀତିନୀତି ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ପୁନର୍ଜନ୍ମକୁ ସୁଗମ କରିବା ପାଇଁ ଦାହ ପରେ ତାଙ୍କ ଅସ୍ଥିକୁ ନଦୀରେ ବିସର୍ଜନ କରାଯାଉଥିଲା। ତେବେ ଅନ୍ତିମ ସଂସ୍କାରର ପରିବର୍ତ୍ତନ ଏକ ସଂସ୍କୃତିର ପରିବର୍ତ୍ତନକୁ ଦର୍ଶାଏ।
ପ୍ରାଗ୍‌ ଐତିହାସିକ ସମୟରେ, ସମାଧି ପାଇଁ ମାଟିପାତ୍ର ଅପରିହାର୍ଯ୍ୟ ଥିଲା। ସେତେବେଳେ ଦୁଇ ପ୍ରକାର ସମାଧି ଦିଆଯାଉଥିଲା। ପ୍ରଥମରେ ଲୋକେ ମାଟି ପାତ୍ର(କୁଣ୍ଡ) ମଧ୍ୟରେ ମୃତ ଲୋକଙ୍କୁ ରଖି ପୋତିଦେଉଥିଲେ। ଦ୍ୱିତୀୟରେ ଦାହ ସଂସ୍କାର ପରେ ସଂଗୃହୀତ ଅସ୍ଥିକୁ ମାଟିପାତ୍ରରେ ରଖାଯାଇ ସମାଧି କରାଯାଉଥିଲା। ତାମିଲ ସଙ୍ଗମ କାବ୍ୟରେ ଏ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ସେଥିରେ ଜଣେ ବିଧବା ତାଙ୍କ ସ୍ବାମୀଙ୍କ ମୃତଦେହ ପାଇଁ ଏକ ବଡ଼ ମାଟିକୁଣ୍ଡ ତିଆରି କରିବାକୁ ଜଣେ କୁମ୍ଭକାରଙ୍କୁ କହୁଥିବା କଥା ଉଲ୍ଲେଖ ରହିଛି। ବିଶେଷକରି ଦକ୍ଷିଣ ଭାରତରେ ପ୍ରାଗ୍‌ ଐତିହାସିକ ସମାଧିସ୍ଥଳଗୁଡ଼ିକରେ ପଥର ତିଆରି କୁଣ୍ଡ ଦେଖିବାକୁ ମିଳେ। ହରପ୍ପା ସଭ୍ୟତାରେ ଶବଦାହ କରାଯାଉଥିଲେ ମଧ୍ୟ ଅନେକ ସମ୍ପ୍ରଦାୟରେ ସମାଧି ଦିଆଯାଉଥିଲା। ହରପ୍ପାରେ ବହୁ ସମାଧିସ୍ଥଳ ଦେଖିବାକୁ ମିଳେ, ଯେଉଁଠାରେ ମୃତଲୋକଙ୍କ ସହ କାଠ କିମ୍ବା ଅନ୍ୟ ଧାତବ ମାଳ ଏବଂ କିଛି ପାତ୍ର ଥିବା ଦେଖାଯାଏ। ଧୋଲାବିରାରେ ମିଳିଥିବା ସମାଧି ସ୍ତୂପରେ କୌଣସି ମୃତଦେହ ନ ଥିବା ଦେଖାଯାଏ। ସମ୍ଭବତଃ ଦୂର ଦେଶକୁ ଯାତ୍ରା କରିବା ସମୟରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହା କରାଯାଉଥିଲା। ଡେକାନ ଅଞ୍ଚଳ( ଦକ୍ଷିଣ ଭାରତରେ ନର୍ମଦା ନଦୀର ଦକ୍ଷିଣରେ ଥିବା ସମତଳ ଅଞ୍ଚଳ)ର ମେଗାଲିଥିସ୍‌ (ପୋତାଯାଇଥିବା ବଡ଼ ପଥର ଖଣ୍ଡ)ର ସମ୍ପର୍କ ଲୌହଯୁଗର( ଖ୍ରୀଷ୍ଟପୂର୍ବ ୧୦୦୦) ସମାଧି ସ୍ଥଳ ସହ ରହିଛି। ବିଶେଷକରି ପ୍ରାଗ୍‌ ଐତିହାସିକ ଯୁଗର ମେଗାଲିଥିକ୍‌ ସଂସ୍କୃତି ହେଉଛି ଏକ ନିଆରା ଦକ୍ଷିଣ ଭାରତୀୟ ସଂସ୍କୃତି। ଗଙ୍ଗା- ଯମୁନା ନଦୀ ଅବବାହିକାରେ ବୈଦିକ ସଂସ୍କୃତିର ବିକାଶ ସମୟରେ ଏଭଳି ସମାଧି କରାଯାଉଥିଲା। ସମାଧି ଦିଆଯାଉଥିବା ସ୍ଥାନରେ ଦୁଇଟି ପଥରକୁ ସିଧା କରି ପୋତାଯାଇ ତା’ଉପରେ ଆଉ ଖଣ୍ଡେ ପଥର ଭୂମି ସହ ସମାନ୍ତର ଭାବେ ରଖି ସମାଧି ମନ୍ଦିର ନିର୍ମାଣ କରାଯାଉଥିଲା, ଯାହାକୁ କୁହାଯାଏ ଡୋଲ୍‌ମେନ୍‌। ଏହା ଭିତରେ ମୃତବ୍ୟକ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅସ୍ଥି ଓ ଖାଦ୍ୟପଦାର୍ଥ ରଖାଯାଉଥିଲା।
ବେଦଗୁଡ଼ିକରେ ଉଭୟ ଦାହ ସଂସ୍କାର ଓ ସମାଧି ବିଷୟରେ ଉଲ୍ଲେଖ ରହିଛି। ଶବଦାହ ସମ୍ପର୍କରେ ମଧ୍ୟ ରାମାୟଣ ଓ ମହାଭାରତରେ ବର୍ଣ୍ଣନା କରାଯାଇଛି। ଦଶରଥଙ୍କ ମୃତ ଶରୀରକୁ ଦାହ କରାଯାଇଥିଲା। ରାବଣ ଏବଂ କୌରବଙ୍କୁ ମଧ୍ୟ ଦାହ କରାଯାଇଥିଲା। ଅନ୍ତ୍ୟେଷ୍ଟିକ୍ରିୟା ପରବର୍ତ୍ତୀ ରୀତିନୀତିରେ ମୃତବ୍ୟକ୍ତି(ପିତୃପୁରୁଷ)ଙ୍କୁ ଖୁଆଇବାର ବ୍ୟବସ୍ଥା କରାଯାଇଛି। ଦାହ ସଂସ୍କାର କେବଳ ଉଚ୍ଚବର୍ଗରେ ରହିଛି। କାରଣ ସେମାନେ ଦାହ ପାଇଁ କାଠ ଯୋଗାଇ ଦେଇପାରନ୍ତି। ଅନେକ ନୀଚଜାତିର ଲୋକେ ଏବେ ସୁଦ୍ଧା ପ୍ରାଗ୍‌ ବୈଦିକ ସମୟର ସମାଧି ପରମ୍ପରାକୁ ବଜାୟ ରଖିଛନ୍ତି। ବହୁ ସମୟରେ ମାଲିକାନା ଓ ସ୍ବତ୍ୱାଧିକାର ସୂଚିତ କରିବା ଲାଗ ପରିବାର ମାଲିକାନାରେ ଥିବା ଜମିରେ ହିଁ ସେମାନଙ୍କ ମୃତବ୍ୟକ୍ତିଙ୍କୁ ସମାଧି ଦିଆଯାଏ ।
ଭାରତର ଅନେକ ଅଞ୍ଚଳରେ ମୃତବ୍ୟକ୍ତିଙ୍କୁ ବସାଯାଇ ସମାଧି ଦିଆଯାଏ। ବିଶେଷକରି ଧର୍ମୀୟ ସମ୍ପ୍ରଦାୟର ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି କରାଯାଉଥିଲା। ବିଶ୍ୱାସ ରହିଥିଲା ଯେ, ଧର୍ମୀୟ ସମ୍ପ୍ରଦାୟର ଲୋକଙ୍କର ପୁନର୍ଜନ୍ମ ହେବ ନାହିଁ। ଅନେକ ହିନ୍ଦୁ ମଠରେ ସାଧୁମାନଙ୍କୁ ବସିଥିବା ଭଙ୍ଗୀରେ ସମାଧି ଦିଆଯାଇଥାଏ ଏବଂ ତା’ଉପରେ ଏକ ସ୍ବତନ୍ତ୍ର କୁଣ୍ଡରେ ତୁଳସୀ ଗଛ ଲଗାଯାଏ। ଜୈନ ସନ୍ନ୍ୟାସୀଙ୍କ କ୍ଷେତ୍ରରେ ବହୁ ସମୟରେ ସମାଧି ଉପରେ ଏକ ଗଛ ଲଗାଯାଏ କିମ୍ବା ତା’ଉପରେ ସ୍ତୂପ ନିର୍ମାଣ କରାଯାଇଥାଏ। ଅନେକ କ୍ଷେତ୍ରରେ ଦାହ କରାଯାଇଥିବା ସନ୍ନ୍ୟାସୀଙ୍କ ଅସ୍ଥି ଉପରେ ସ୍ତୂପ ନିର୍ମାଣ କରାଯିବାର ପରମ୍ପରା ଥିଲା ଏବଂ ପରେ ଏହାକୁ ବୌଦ୍ଧ ଧର୍ମାବଲମ୍ବୀମାନେ ଅନୁସରଣ କରିଥିଲେ। ଅବଶ୍ୟ ବୈଦିକ ଲୋକମାନେ ବୌଦ୍ଧ ଧର୍ମାବଲମ୍ବୀଙ୍କୁ ଅସ୍ଥି ଉପାସକ କହି ସମାଲୋଚନା କରୁଥିଲେ। ଶରୀର ଓ ଅସ୍ଥିକୁ ସମାଧି ଦିଆଯାଇଥିବା ବୌଦ୍ଧସ୍ଥଳୀଗୁଡ଼ିକୁ ସ୍ତୂପ କୁହାଗଲାବେଳେ ଜୈନ ଓ ହିନ୍ଦୁମାନେ ତାହାକୁ ସମାଧି କହିଲେ।
ଏହା ବ୍ୟତୀତ ପଥର ନିର୍ମିତ ସମାଧିମନ୍ଦିର ନିର୍ମାଣ କରାଯାଉଥିଲା। ବିଶେଷକରି ସମାଧି କିମ୍ବା ଦାହ କରାଯାଇଥିବା ସ୍ଥାନରେ ଏଭଳି ମନ୍ଦିର ନିର୍ମାଣ କରାଯାଇ ତା’ ଉପରେ ଶିବଲିଙ୍ଗ ମୂର୍ତ୍ତି ରଖାଯାଉଥିଲା। ଚୋଳ ବଂଶର କେତେଜଣ ରାଜା ଏହି ପରମ୍ପରାର ଅନୁଗାମୀ ଥିଲେ। ଏହା ବ୍ୟତୀତ ରାଜସ୍ଥାନ, ଗୁଜରାଟ ଏବଂ ଭାରତର ଅନେକ ଭାଗରେ ବୀର ପଥର ଦେଖିବାକୁ ମିଳେ। ଆକ୍ରମଣକାରୀ କିମ୍ବା ହିଂସ୍ରଜନ୍ତୁଙ୍କ କବଳରୁ ଗାଁକୁ ରକ୍ଷା କରିବାକୁ ଯାଇ ଯେଉଁ ସ୍ଥାନରେ ଯୋଦ୍ଧାମାନେ ପ୍ରାଣ ହରାଇଥିଲେ ସେଠାରେ ଏହି ବୀରଶିଳା ସ୍ଥାପନ କରାଯାଉଥିଲା। ସତୀମାନେ ସ୍ବାମୀଙ୍କ ଚିତାରେ ଝାସ ଦେଉଥିବା ସ୍ଥାନକୁ ସତୀଶିଳା ଦ୍ୱାରା ଚିହ୍ନିତ କରାଯାଉଥିଲା। କର୍ନାଟକରେ ଅମରଣ ଉପବାସକରି ଯେଉଁ ସ୍ଥାନରେ ଜୈନ ସନ୍ନ୍ୟାସୀମାନେ ପ୍ରାଣତ୍ୟାଗ କରୁଥିଲେ ସେଠାରେ ନିଷିଦ୍ଧି ଶିଳା ସ୍ଥାପନ କରାଯାଇଥିଲା।
ଦଶମ ଶତାବ୍ଦୀ ପରେ ଇସ୍‌ଲାମ ସଂସ୍କୃତି ଭାରତରେ ପ୍ରବେଶକରିଥିଲା। ଏହା ପରେ କବରସ୍ଥଳୀ ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ଆରବୀୟ ପରମ୍ପରାରେ କବର ନିର୍ମାଣ ନାହିଁ। ଏଣୁ ଏହା କେନ୍ଦ୍ର ଏସିଆରୁ ଆସିଛି। ଆରବୀୟମାନେ ମୃତକଙ୍କୁ ସମାଧି ଦେଉଥିଲେ ଏବଂ ପ୍ରାଚୀନ ଇରାନୀୟ ମାଟି କିମ୍ବା ପାଣିରେ ପକାଇଦେଉଥିଲେ କିମ୍ବା ଶାଗୁଣା ଆଗରେ ରଖି ଦେଉଥିଲେ। ବିଶେଷକରି ଇସ୍‌ଲାମ ଧର୍ମ ଗ୍ରହଣ କରିଥିବା କେନ୍ଦ୍ର ଏସିଆର ଆଦିବାସୀମାନେ କବରସ୍ଥଳୀ ନିର୍ମାଣକୁ ଆପଣାଇଥିଲେ ଏବଂ ଭାରତରେ କବର ସ୍ମରକ ନିର୍ମାଣ ଆରମ୍ଭ କରିଥିଲେ। ସେଥିପାଇଁ ଦଶମ ଶତାବ୍ଦୀ ପରେ ଭାରତରେ ଖିଲିଜ, ତୋଗଲକ, ଲୋଦି ଓ ସୁରିବଂଶର କବର ସ୍ମାରକ ଦେଖିବାକୁ ମିଳେ। ଏହା ପରେ ପ୍ରସିଦ୍ଧ ତାଜମହଲ ଭଳି ଅନେକ ମୋଗଲ ସ୍ମାରକ ଦେଖିବାକୁ ପାଉ। ସୁଫି ସନ୍ନ୍ୟାସୀଙ୍କ ସମାଧି ସ୍ଥଳଗୁଡ଼ିକ ମଧ୍ୟ ତୀର୍ଥସ୍ଥଳୀ ପାଲଟିଗଲା।
ଏହି ମୁସ୍‌ଲିମ୍‌ ପରମ୍ପରାକୁ ଲକ୍ଷ୍ୟକରି ଅନେକ ରାଜପୁତ ରାଜକୀୟ ଅନ୍ତିମ ସଂସ୍କାର ସ୍ଥଳରେ ଗମ୍ଭୁଜ ଓ ମଣ୍ଡପ ନିର୍ମାଣ ଆରମ୍ଭ କରିଦେଲେ। ଏଗୁଡ଼ିକ ହେଉଛି ଛତ୍ରୀ। ଏପରିକି ମହାରାଷ୍ଟ୍ର ଓ ଗୁଜରାଟର କେତେକ ସ୍ଥାନରେ ଏହା ଦେଖାଯାଏ। ତ୍ରୟୋଦଶ ଶତାବ୍ଦୀରୁ ଆରମ୍ଭକରି ଊନବିଂଶ ଶତାବ୍ଦୀ ମଧ୍ୟରେ ଏହି ପରମ୍ପରା ଲୋକପ୍ରିୟ ହୋଇଗଲା। ବୈଦିକ ବିଶ୍ୱାସ ରହିଛି, ପୁନର୍ଜନ୍ମକୁ ସୁଗମ କରିବାକୁ ହେଲେ ମୃତକଙ୍କ କୌଣସି ସଙ୍କେତ ବା ଚିହ୍ନ ରହିବା ଉଚିତ ନୁହେଁ। ଏଣୁ ଏଭଳି ପରମ୍ପରାଗୁଡ଼ିକ ବୈଦିକ ବିଶ୍ୱାସର ବିରୋଧୀ ଥିଲା। ଏପରିକି ଏବେ ମଧ୍ୟ ରାଜନେତାଙ୍କୁ ଯେଉଁଠାରେ ଦାହକରାଯାଉଛି ସେଠାରେ ସମାଧି ନିର୍ମାଣ କରାଯାଉଛି।
ଉତ୍ତରପୂର୍ବ ଭାରତରେ ଥିବା ମୋନପା ଜନଜାତି ସମ୍ପ୍ରଦାୟରେ ମୃତବ୍ୟକ୍ତିଙ୍କ ଶରୀରକୁ ୧୦୮ ଖଣ୍ଡ କରି ମାଛ ଖାଇବା ଲାଗି ନଦୀରେ ଫିଙ୍ଗିଦିଆଯାଉଛି। ଏହିପରି ଭାବେ ଭାରତରେ ଅନ୍ତିମ ସଂସ୍କାର ସ୍ମାରକକୁ ଅନୁଧ୍ୟାନକଲେ ଜଣାଯାଏ, ଦେଶରେ ବିବିଧ ଧର୍ମୀୟ ପରମ୍ପରା ଓ ବିଶ୍ୱାସ ଭରି ରହିଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri